ଏ ଜୀବନ ହଂସ କାଠି କୁଟା ରେ ତା ବସା
ଉଡିଯିବ ଦିନେ ବସାଛାଡି କେତେ ଦୂର
ଅଜଣା ରାଇଜେ ଯାଇ ସେ କରିବ ଘର ।।
ତୁମେ ନିୟନ୍ତ୍ରକ, ତୁମେ ସଂଚାଳକ ତୁମେତ ଈଶ୍ୱର ତୁମେ
ଏ ଜୀବନ ହଂସ ପବନ ସମାନ ତୁମରି କରୁଣା ପଣେ
ରକ୍ତ ମାଂସ ଧାରି କଣ୍ଢେଇ ରେ ନେଇ ସେ ପବନକୁ କଲ ସ୍ଥିତ
ଖେଳଣା କଣ୍ଢେଇ ତା ଜୀବ ଆୟୁଷ ସବୁ ତୁମ କରାୟତ ।।
ଆଖି ପିଛୁଳାକେ ପଦ୍ମ ପତ୍ର ଜଳ ସମ
ନଦୀ ମହୋଦଧି ମିଶିଲେ ଭୁଲେ ତା ନାମ
ସେମିତି ଏମିତି ମଣିଷ ଜୀବନ ଆୟୁ
ଦେଖୁ ଦେଖୁ ଦେଖ ଉଡିଯାଏ ପ୍ରାଣ ବାୟୁ ।।
ପଦ୍ମ ପତ୍ରେ ଜଳ ତରଳ ଜୀବନ ସଂସାର ବାରିଧି ଜଳ
ଈଶ୍ଵର ତୁମ ନିର୍ଦ୍ଦେଶେ ଲହରେ ମନ୍ଦ ମଳୟ ଅନୀଳ
ବାରିଧି ବାରିରେ ମିଶିଯିବ କ୍ଷଣେ ଟଳ ଟଳ ଏଇ ଜୀବନ
କାହିଁକି ବଡେଇ କାହିଁକି ଚାତର କାହିଁକି ବା ଅପକର୍ମ ।।
ତଥାପି ଅମୃତ ମୟ ମଣିଷ ର ଜନ୍ମ
ଜାଣିବି ମଣିଷ ପାଲଟଇ ସଇତାନ
ଈଶ୍ଵର ଏଠି ଅନ୍ଧ ନୁହେଁ ରେ ଚଣ୍ଡ
ଜୀବନ ନୁହେଁ ରେ ବର୍ଷ ମାସ ଦିନ ଦଣ୍ଡ ।।
ଈଶ୍ଵର ତୁମେ କଥାକୁହ ଯେବେ ଧରାରେ ଫୁଟଇ ଫୁଲ
ମଙ୍ଗଳମୟ ତୁମରି ନିର୍ଦ୍ଦେଶେ ମେଘ ଢାଳିଦିଏ ଜଳ
ତୁମରି ଆଦେଶେ ବହଇ ମନ୍ଦ ମଳୟ ସମିର ଧୀରେ
ଗ୍ରହ ନକ୍ଷତ୍ର ବି ତୁମରି ଆଦେଶେ ଚଳମାନ ଆକାଶରେ ।।
କର୍ମ ଏକା ସିନା ଜୀବନର ମାନଦଣ୍ଡ
ଅପକର୍ମେ ଭୋଗ ଅନେକ ଅକୁହା ଦଣ୍ଡ
ଜୀବନକୁ କର ମଧୁମୟ ସେବି ଈଶ୍ଵର
ଜଗତ ଜୀବନ ସେତପ୍ରାଣଧନ ବିଶ୍ଵର ।।
0 Comments
You can write now your valuable comments here. Off-topic comments may be removed or deleted without prior notice.