ତୁମ ଶ୍ରୀମନ୍ଦିର ପବିତ୍ର ବେଢାରେ
ନିତି ଜଳୁଥିବି ମୁହିଁ ।
ଜଳି ମୁହିଁ ନିଶେଷ ହୋଇବି
ପତିତପାବନ ଚାହିଁ । । ୧
କରିଦିଅ ମୋତେ ପବିତ୍ର ଦୀପାଳି
ଜ୍ଞାନ ର ଜ୍ଯୋତି କୁ ଦେଇ।
ନିତି ନାଶୁଥିବି ଅଜ୍ଞାନ ଅନ୍ଧାର
ଭକ୍ତିର ଅର୍ଘ୍ୟ କୁ ନେଇ । ୨
ତୋ ଭକତଜନ ମୁଖଦେଖୁଥିବି
ପବିତ୍ର ହୋଇବ ଗାତ୍ର ।
ଶୁଭସାୟଂକାଳେ ଦିନଦ୍ବିପ୍ରହରେ
ଲିଭିବିନି ତିଳେମାତ୍ର । ୩
ଅଜ୍ଞାନ ଧୂଳି କୁ ନିତି ଧୋଉ ଥିବି
ଜ୍ଞାନ ର ପୟକୁ ନେଇ ।
ଭକତଜନ ଙ୍କ ହ୍ରୁଦୟ ମଧ୍ଯରେ
ଭକ୍ତି ଦୀପ ଜାଳିଦେଇ । ୪
ତୁମେ ପରଂବ୍ରହ୍ମ ପରାତ୍ପର ବିଭୂ
ତୁମେ ସ୍ବୟଂ ଜଗନ୍ନାଥ ।
ତୁମରି ସେବାରେ ପ୍ରତ୍ଯହ ଲାଗି ବି
ତୁମେ ମୋ ହ୍ରୁଦୟ ନାଥ। ୫
ଜଳି ଜଳି ମୋର ଜୀବନ ସଳିତା
ଅନ୍ତିମେ ହେଉ ନିଶେଷ ।
ତୁମ ମହାଜ୍ଯୋତେ ଲୀନ୍ନ ମୁଁ ହୋଇବି
ଲିଭିବ ଅଂଶ ବିଶେଷ । ୬


ରଚନା : ଅଜୟକୁମାର ସାହୁ

ଠିକଣା : ବାସୁଦେବପୁର, ବନମାଳୀପୁର, ଖଣ୍ଡପଡା, ନୟାଗଡ଼

ବର୍ତ୍ତମାନ ଠିକଣା : ଆସିକା, ଗଞ୍ଜାମ, ଦୂରଭାଷ : 9439338890