
ଥରଟେ ନାଁ କୁ ଲେଖି
ଚାଲିଯାଅ ପଛେ ମୋତେ ଛାଡି ତୁମେ
ଦୁଃଖ ମୋ ନାହିଁ ସଖୀ,
ଯେବେବା ଫେରିବ କେବେ ଏଇବାଟେ
ଗତାୟୁ ଯୌବନ ଝୁରି
ସ୍ୱାଗତରେ ତୁମ ବସିଥିବି ଚାହିଁ
ତୁମେ ଯେ ଆସିଛ ଫେରି,
ଲକ୍ଷେ ତାରାଫୁଲେ ତୋରଣ ସଜାଇ
ବରଣି କରିବା ପାଇଁ
ରାତିଏ ସପନ ସାଉଁଟି ଥିବି ମୁଁ
ଅୟୁତେ ଆଶାକୁ ନେଇ,
ଛାତିଏ ତାତିକୁ ହାୱା ଦେଉଥିବି
ଆୟୁଷେ ବେଦନା ଧରି
ଛଳ ଛଳ ଥିବ ନୟନ ଯୁଗଳ
ଲୁହ ପଡୁଥିବ ଝରି,
ମନ ମଧୁଶାଳେ ପଥ ଦେଖୁଥିବି
ପ୍ରଣୟର ମଧୁ ଆଶେ
ହୃଦୟରେ ଥିବ ଜୟଗାନ ତୁମ
କଣ୍ଠ ଜଳୁଥିବ ଶୋଷେ,
ଜୀବନର ସଞ୍ଜ ନଇଁ ଆସୁ ଥିବ
କିଛି ଆଶା ଅବଶୋଷେ
ଖାଲି ପିଆଲାଟା ଦୂରେ ଗଡୁଥିବ
ପ୍ରୀତି ପ୍ରତୀକ୍ଷାର ଶେଷେ।।