ଯା' ମଧୁରସେ ରସାଳ ହେବାକୁ
ବନ ଭୂଇଁ ତୃଷା ମେଣ୍ଟେ,
ମଧୁଜା ମଧୁରେ ଚାହିଁ ସେ ଆତୁରେ
ପ୍ରୀତି ପରଶ ଯେ ବାଣ୍ଟେ
ରସ ରସନା ଗୋ
ରସରେ ଆଉ ତୁ ନ କର ମନା.....
ପ୍ରୀତି ସ୍ପର୍ଶେ ଆନମନା ।୧।
ଯାମିନୀରେ ପାଣି ବାନ୍ଧି ବନ୍ଧଟିଏ
ପଲଙ୍କେ ଯୁଗଳ ଠାଣି,
ନିଦାଘ ଦୂରାଇ ତନୁ କୋଳେ ଶୋଇ
ଭାଷୁ ଗୋ ପୀରତି ବାଣୀ
ରସ ରସନା ଗୋ
ରସରେ ଆଉ ତୁ ନ କର ମନା.....
ବାଜେ କି ପୀରତି ବୀଣା ।୨।
ପ୍ରୀତି ସଙ୍ଗେ ସତୀ ପଲ୍ଲବ ପୁରାଇ
ଆହ୍ଲାଦେ ଆହ୍ୱାନ ଛାତି,
ପଲ୍ଲବୀତେ ହିଆ କଟକଟ ରଡ଼ି
ପ୍ରେମ ଆଲିଙ୍ଗନେ ମାତି,
ରସ ରସନା ଗୋ
ରସରେ ଆଉ ତୁ ନ କର ମନା .........
ତନୁ ଆଲିଙ୍ଗନେ ମନା। ୩।
ଲାଜକୁଳୀ ଲତା ପରଶ ଲଭି କି
ଲାଜରେ ଗଲାଣି ମରି,
କାହିଁ ସେ ମୂରତୀ ରତି ନୁହେଁ ରୀତି
ଯୁଗେ ଯୁଗେ କାନ୍ତ ସ୍ମରି ,
ରସ ରସନା ଗୋ
ରସରେ ଆଉ ତୁ ନ କର ମନା......
ଯୁଗେ ଯୁଗେ ତୁ ବନ୍ଦନା ।୪।
ଶରୀର ପୀଡନ ଉପଶମ ମନ
କାନ୍ତ କାନ୍ତା କାନ୍ତି ଝୁରେ,
ଶାନ୍ତ ଅପଘନ ତୃଷାତୁର ପ୍ରାଣ
ଧବ ଧୌତ ଧୀର ନୀରେ,
ରସ ରସନା ଗୋ
ରସରେ ଆଉ ତୁ ନ କର ମନା.....
ଧବ ଧୌତ ନୀରେ ସିନା ।୫।
ରଙ୍ଗ ବେରଙ୍ଗର ପୁଷ୍ପ ବୃନ୍ତ ବୃନ୍ତେ
ଧରା ଧରାଦେଲେ କୁଞ୍ଜେ,
ରସ ସୁବାସିନୀ ରସେ ରସାୟିନୀ
ରସ ଝରେ ରସା ମଞ୍ଚେ
ରସ ରସନା ଗୋ
ରସରେ ଆଉ ତୁ ନ କର ମନା.....
ରସା କୋଳେ ରସ ରସନା ।୬।
ବିରସ ବଦନୀ ସରସ ଚାହାଣି
ନୀଳ ବନ ତନ୍ଦ୍ରାନେତ୍ରୀ ,
ଛନ ଛନ ମନେ ଝଟତି ଚୁମ୍ବନେ
ଝଲସି ଉଠଇ କତି
ରସ ରସନା ଗୋ
ରସରେ ଆଉ ତୁ ନ କର ମନା .....
ଝଲସି ଉଠଇ ଅନା ।୭।
--0--
ଭଜରାମ ସେଠୀ,
ଆସିକା,ନିରାଳ, ଗଂଜାମ
9566876504
0 Comments
You can write now your valuable comments here. Off-topic comments may be removed or deleted without prior notice.