କଚେରୀ ପାଖରେ
ହୋଟେଲ୍ ଟିଏ ଦେଇ
ଭଲ ଦ୍ଵି ପଇସା କରୁଥିଲି...
ଚାରି ପାଞ୍ଚ ଜଣ
ଲୋକଙ୍କୁ ଚଳେଇ
ନିଜେ ବି ଭଲରେ ଚଳୁଥିଲି...

ଇସ୍କୁଲ ସାଙ୍ଗ ଟା
ଆସିଲା ଦିନେ
କହିଲା ଭାଇ କେମିତି ଅଛୁ....
ଏଇ ବେପାର ରେ
କେତେ ବା ଅରଜୁ
ଯେଉଁଠି ଥିଲୁ ତୁ ସେଇଠି ଅଛୁ....

ମୁଣ୍ଡକୁ ଟୁଙ୍ଗାରି
ହଁ କହିଲି ମୁଁ
କ'ଣ କରିବି କହରେ ସାଙ୍ଗ....
ଟେନସନ ହେଲେ
ଶିଳ ରେ ବାଟି କି
ମାରି ଦିଏ ଟିକେ ରାତିକୁ ଭାଙ୍ଗ....

କହିଲା ଉପାୟ
ଅପେକ୍ଷା କରିଛି
ତୁ ରାଜି ହେଲେ ହୋଇବୁ ବଡ଼....
ଦିନ କେଇଟା ରେ
ସ୍ତ୍ରୀ ଟା କହିବ
ଏ ହୋଟେଲ ଧନ୍ଦା ଶୀଘ୍ର ଛାଡ଼....

ଖୁସି ହେଇ ଯାଇ
ପଚାରିଲି ଭାଇ
କ'ଣ କେମିତି ବୁଝେଇ କହ....
ଭୋକ ଭାରି ମୋତେ
ଖାଇବାକୁ ଦେଏ
ଖାଇ ସାରି ସବୁ କହୁଛି ରହ...

ଚିକେନ୍ ମୋଟନ୍
ସବୁରୁ ଚାଖିଲା
ଖାଇ ନାହିଁ ଯେମିତି କେବେରୁ....
ଖାଇ ସାରି ହାତ
ଧୋଇ ସେ କହିଲା
ଖାଇବି ଦିନେ ଭାଉଜ ହାତରୁ...

ପାଖରେ ବସିଲା
କାନରେ କହିଲା
ବେପାର ଟା କରି ତୁ ପାରିବୁ...
କଳା ବିରାଡ଼ି କୁ
ହନୁମାନ ପଇସା
ବିଛା ମାର୍କା ଲଣ୍ଠନ ଖୋଜିବୁ....

ବଜ଼ର୍ କପ୍ଟା ଆଉ
ବଡ଼ ରଣା ସାପ
ଭୂଇଁ କଖାରୁ ଯେବେ ପାଇବୁ....
ଫୋନ କରିଲେ
ପାତାଳ ରେ ଥିଲେ
ଆମ୍ଭେ ଆସି ହାଜର ହୋଇବୁ...

କଳା ବିରାଡ଼ିକୁ
ଦଶ ହଜାର
ଲଣ୍ଠନ ଟା ପଚାଶ ହଜାର...
ଯଦି ହନୁମାନ
ପଇସା ଟା ପାଉ
କୋଟିଏ ରେ ହେବ ବେପାର...

ପର ଦିନ ଠାରୁ
ଲାଗିଲି କାମରେ
ହୋଟେଲ ରେ ତାଲା ପକେଇ...
କଳା ବିରାଡ଼ି ଟେ
ସନ୍ଧାନ ମିଳିଲା
ଧରିବାକୁ ହେବ ଲୋକ ଲଗେଇ...

ମିଳିଲେନି ଲୋକ
ଧରିବା ପାଇଁ କି
ଶେଷରେ ନିଜେ ମୁଁ ଧରିଲି....
ଗୋଡେଇ ଗୋଡେଇ
ଆଣ୍ଠୁ ଛାଡି ଗଲା
କାମୁଡ଼ା ରାମ୍ପୁଡା ବି ଖାଇଲି...

ଟଙ୍କା ଦଶ ହଜାର
ପାଇ ଗଲି ଭାବି
ଡାକିଲି ଫୋନ ଲଗେଇ....
ଦେଖୁ ଦେଖୁ ସାଙ୍ଗ
ମନା କରିଦେଲା
ଲାଞ୍ଜକୁ ଟିକିଏ ଉଠେଇ....

ଲାଞ୍ଜ ତଳେ ଟିକେ
ଧଳା ଦାଗ ଅଛି
ହେବନି ଏଇଟା ସେ କହିଲା....
ଖୋଜ ଖୋଜ
ଆହୁରି ଖୋଜ
ଯାଉ ଯାଉ ମୋତେ ବଇଲା....

ଘା' ଶୁଖୁ ନାହିଁ
ପଇସା ବି ନାହିଁ
ହୋଟେଲ ରେ ତାଲା ଝୁଲୁଛି...
କଳା ବିରାଡ଼ି
କୋଉଠି ମିଳିବ
ସାହି ସାହି ଖୋଜି ବୁଲୁଛି....

ଗୋପାଳ ଚନ୍ଦ୍ର ସାଓ
ବାରିପଦା, ମୟୂରଭଞ୍ଜ



ରଚନା : ଗୋପାଳ ଚନ୍ଦ୍ରସାଓ

ଠିକଣା : ବାରିପଦା,ମୟୂରଭଞ୍ଜ ଦୂରଭାଷ : 8249404084