ତୋତେ ଦେଖିଦେଲେ ମୋ ମନରେ କିଆଁ
ଆନନ୍ଦ ଆସଇ ଏତେ ,
ମନ ଭରେ ନାହିଁ ଆଖି ପୁରେ ନାହିଁ
ନିରେଖି ଚାହିଁଲେ ଯେତେ ।

ଅଧାଗଢ଼ା ସିନା ମୂରତି ତୋହର
ତୁ ଅଟୁ ସବୁରି ମୂଳ ,
ଦୁନିଆ ଯାକର ଶୋଭା ତୋ ଦେହରେ
ହୋଇଅଛି ପରା ଠୁଳ ।

ନିନ୍ଦା, ପରଶଂସା, ଗାଳି, ଅଭିମାନ
ଯେ ଯାହା କରିଲେ ଶୁଣୁ ,
ସଭିଙ୍କର କିନ୍ତୁ କଲ୍ୟାଣ କରୁ ତୁ
କଲ୍ୟାଣମୟଟି ଯେଣୁ ।

ଦୂରେ ଅବା ପାଖେ ଯେ ଯେଉଁଠି ଡାକେ
କାନ ଡେରି ଶୁଣୁ ସଦା ,
ନିମିଷକ ମଧ୍ୟେ ଭକତର ନାଥ
ନାଶ କରୁ ସବୁ ବାଧା ।

ମାଗୁନାହିଁ ତୋତେ ସରଗର ସୁଖ
କିବା ମୁଁ ଅସରା ବିତ୍ତ ,
କରୁଣା ଏତିକି କରିଥାରେ ମୋତେ
ତୋ ପଦେ ଥାଉ ମୋ ଚିତ୍ତ ।

ମାମୁରିଆ,ଛେଣ୍ଡିପଦା, ଅନୁଗୋଳ ।