ଖୋଲି ତ ସାରିଛି କହି
                  ବି.ନିରୁପମା

ମୋ ପରୀକ୍ଷା ଆଉ ପ୍ରତୀକ୍ଷାର ଅନ୍ତ
କର ଆହେ ଚିତ୍ତଚୋର ,
ତୁମ ଦରଶନ ପାଇବା ଆଶାରେ 
ପରାଣ ଧରିଛି ମୋର ।

ଏତେଦିନ ଧରି ଦେଲଣି ଯା' ସଜା
ମାନୁନାହିଁ କିବା ମନ ,
କେଉଁପରି ଆଉ ଭଜିଲେ ତୁମକୁ
ତୋଷ ହେବ ପ୍ରାଣଧନ ।

ଜୀବନରେ ହେତୁ ପାଇବା ଦିନରୁ
ତୁମଠି ଶରଧା ବହି ,
ମନ ପ୍ରାଣ ସବୁ ଅରପି ଦେଇଛି 
ଖୋଲି ତ ସାରିଛି କହି ।

ଆଉ କେଉଁ କଥା ବାକି ରହିଗଲା
ପରୀକ୍ଷା ନେଉଛ ତେଣୁ ,
ଚାହିଁଲେ ବି ମୁହଁ ଆଡେ଼ଇ ପାରୁନି
ମନ ଦେଇଅଛି ଯେଣୁ ।

ଅନୁରୋଧ ମୋର ରଖି ପ୍ରିୟତମ
ଏଥରକ ଦିଅ ଦେଖା ,
ଭାଲପଟରୁ ମୋ ବଦଳାଇ ଦିଅ
କୃପାକରି ଭାଗ୍ୟ ରେଖା ।

ମାମୁରିଆ ,ଛେଣ୍ଡିପଦା ,ଅନୁଗୋଳ ।