ଯାଦୁ ଦେଖାଉଛି ସେଇଠି ସନା ,
ଶୂନ୍ୟରେ କେମିତି ବସିଛି ଅନା ।
ବାଇନାକୁଲର ଧରିକି ହାତେ ,
କଅଣ କଅଣ ଦେଖୁଛି ଏତେ !!

ତା' ବାପାଠୁ ଇଏ କୁହୁକ ଶିଖେ ,
ଟିକେ ରହ,ମୁହିଁ ଡେଇଁକି ଦେଖେ ।
କଡେ଼ଇ ଭିତରେ କଅଣ ଅଛି ,
କେଉଁ ମନ୍ତ୍ର ଇଏ ଜପ କରୁଛି !!

କେମିତି ରହିଛି ଶୂନ୍ୟରେ ଝୁଲି ,
ଆମକୁ ବି ଟିକେ ଚାହୁଁନି ବୁଲି ।
କହୁଥିଲେ ଭାଇ-'କୁହୁକ ଯାହା ,
ଚମତ୍କାର-ହାତ ସଫେଇ ତାହା ।

ତୁମେବି ଚାହିଁଲେ ପାରିବ ଶିଖି ,
ଖୁସି ହେବେ ଲୋକ ଖେଳକୁ ଦେଖି ।
ତୁମେ ଆଜିକାର ବିଜ୍ଞାନ ଛୁଆ ,
ଉଦ୍ୟମ କରିଲେ ଶିଖିବ ନୂଆ ।

ଯଦି ନିଷ୍ଠା ଆଉ ଆଗ୍ରହ ଥାଏ ,
ଅସମ୍ଭବ ପରା ସମ୍ଭବ ହୁଏ  ।'
ଚନ୍ଦୁରା,ଆଜିଠୁ ମିଶିକି ଆମେ ,
ପାଠ ପଢ଼ା ସହ ଲାଗିବା କାମେ ।

ଖେଳ କସରତ କରିବା ନିତି ,
କାଲି ଭଳି ଦିନ ଯିବରେ ବିତି ।
ବାୟୁସେନା ପାଇଁ ପରୀକ୍ଷା ଦେବା ,
ନିଶ୍ଚିତ ଭାବରେ ସଫଳ ହେବା ।

ଆକାଶେ ଉଡ଼ିବା ବିମାନେ ବସି ,
ଦେଶର ସୁରକ୍ଷା କରିବା ହସି ।
ଯାଦୁ ଖେଳଠାରୁ ଆହୁରି ମଜା ,
ଆମେ ପାଲଟିବା ଆକାଶ ରାଜା ।

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।