ମୋତେ ଡରୁଛ?
କେବେ ତ ଦେଖିନ ମୋତେ,
ମୋ କଥା କେତେବା ଜାଣିଛ ?
ମୁଁ ଦେଖିବାକୁ କେମିତି,
ମୁଁ ହସେ ଅବା କାନ୍ଦେ !
ଖାଲି ଶୁଣା କଥାରେ ଡରିଲ
ଏତେ ଭରଷା କରିଗଲ?
କିଏ କହିଦେଲା ତୁମକୁ ମୃତ୍ୟୁ ବଡ ଭୟଙ୍କର
ମୃତ୍ୟୁର ଅଟ୍ଟହାସ୍ୟ କଥା?
ଯିଏ ଥରେ ଦେଖିଛି ମୋତେ,
ଯିଏ ଥରେ ଜାଣିଛି ମୋତେ
ସିଏ କେବେ ଯାଇନି ତ ଫେରି,
ତେବେ ଏତେକଥା ତୁମେ କେମିତି ଜାଣିଲ ।

ହେ ବନ୍ଧୁ, ମୁଁ ଯେ ତୁମରି ସାଥିରେ ଅଛି
ତୁମ ଜନ୍ମର ପ୍ରଥମ ମୂହୁର୍ତ୍ତରୁ,
ପ୍ରତି କ୍ଷଣ ପ୍ରତି ମୁହୁର୍ତ୍ତରେ ।
ତୁମେ ମୋତେ ପାରୁନ ଦେଖି,
ଦେଖିବାକୁ ଚାହୁଁନ ବି କେବେ,
ଭଲ ପାଅ ନାହିଁ ମୋତେ,
ଶୁଣା କଥାରେ କେତେ ଘୃଣା କର ସତେ !
ମୁଁ ତୁମ ପାଇଁ ଆସିବି, ତାଙ୍କରି ପାଇଁ ବି,
ସବୁରି ପାଇଁ ଆସିବି ଦିନେ ଠିକ୍ ସମୟରେ ।
ନା' ସମୟ ଆଗରୁ ନା' ପଛରେ,
ମୂହୁର୍ତ୍ତକର ଫରକ ବି ରହିବନି ।

ତୁମେ ଦିନେ ଆସିଯିବ ମୋ ସାଥେ,
ଏଇ ଶୂନ୍ୟତାର ସଂସାରରେ,
ଏଇ ଶୂନ୍ୟ ବି ପରିପୂର୍ଣ୍ଣ ପରମ ଆନନ୍ଦରେ ।
ନା' ଏଠି କଷ୍ଟ ଅଛି, ନା' ଆନନ୍ଦ,
ନା' ଲୁହ' ନା' ହସର ଜୁଆର ।
ଆସକ୍ତିର ବହୁ ଦୂରେ ନିରାସକ୍ତର ଏ ଦୁନିଆ,
ନା ଏଠି ସମ୍ପର୍କ ଥାଏ,
ନା କେହି ବନ୍ଧୁ ନା କେହି ଶତ୍ରୁ,
ନା କିଛି ମାୟାର ବନ୍ଧନ,
ନିର୍ମାୟା, ନିର୍ଲିପ୍ତ,  ଅନାଶକ୍ତର ଏ ସଂସାର ।
ଲୋଭ ନାହିଁ, ହିଂସା ନାହିଁ,
ନାହିଁ ପ୍ରେମ ନାହିଁ ବିରହ ଜନ୍ତ୍ରଣା ।
ରୂପ ନାହିଁ, ଯୈବନ ନାହିଁ,
ନାହିଁ କିଛି ବୟସର ଫରକ,
ନା କାମ କାମନାର ଜ୍ୱଳନ,
ନା' କ୍ଷୁଧା, ନା' ତୃଷା ନା' ଲୋଭ ଅଂହକାର,
ନା' ଜନ୍ମ ନା' ପୁଣି ମୃତ୍ୟୁ ।
କିଛି ନାହିଁର ଏ ଦୁନିଆ ମୋର,
ଏଇ ଶୁନ୍ୟତାରେ ନିରାନନ୍ଦ, ନିରାଶକ୍ତ
ନିର୍ଲିପ୍ତତାର ପରମାନନ୍ଦକୁ କାହିଁକି ଡରୁଛ?

ଥରେ ଦେଖା ହେଲା ପରେ,
ତୁମେ ମୋର ହୋଇଯିବ ଆଉ ମୁଁ ତୁମର,
ତୁମ ମୋ ମଝିରେ ଆଉ କେହି ନାହିଁ ।
ନା ତୁମେ ପାରିବ ଯାଇ, ନା ତୁମେ ଯିବାକୁ ଚାହିଁବ
ମୋର ନିବିଡ ବାହୁ ବନ୍ଧନରୁ ।
ମୁଁ କେବଳ ଦେଇପାରେ ସମସ୍ତ କଷ୍ଟରୁ ମୁକ୍ତି,
ସମସ୍ତ ମାୟାରୁ ମୁକତି, ଭୂଲିଯିବ ସବୁ ଅନୁଭୂତି,
ମୁଁ ମୁକ୍ତିଦାତା ପରମ ମିତ୍ର ତୁମରି ।


ରଚନା : ବିନୟ ମହାପାତ୍ର

ଠିକଣା : ଭୂବନେଶ୍ୱର,  ଦୂରଭାଷ :