ଝୁମୁ ଝୁମୁ ଝୁମୁ ଝୁମୁରୁ ଝାଇଁ
ଝୁମୁରୀ କହୁଛି କାହିଁକି ମାଇଁ
ପିଉଛ ଅଫୁଟା ପାଣି
କେତେ ଯେ ଜୀବାଣୁ ଅଛନ୍ତି ସେଥିରେ
ନାହଁ କି ଏକଥା ଜାଣି ?

ଝୁମୁ ଝୁମୁ ଝୁମୁ ଝୁମୁରୁ ଝାଇଁ
ଝୁମୁରୀ କହୁଛି ମଶାରୀ କାହିଁ ?
ଶୋଇବିନି ତୁମ ଘରେ
ମଶାରୀ ନଥିଲେ ମଶା ତ କାମୁଡ଼େ
ଡେଙ୍ଗୁ , ମେଲେରିଆ ଧରେ ।

ଝୁମୁ ଝୁମୁ ଝୁମୁ ଝୁମୁରୁ ଝାଇଁ
ଝୁମୁରୀ କହୁଛି , ହଇଲୋ ଆଈ
ବୁଦ୍ଧି କିଏ କେତେ ଦେବ
ଖାଇବା ଜିନିଷ ଖୋଲାଥିଲେ ପରା
ମାଛି ବସି ରୋଗ ହେବ !

ଝୁମୁ ଝୁମୁ ଝୁମୁ ଝୁମୁରୁ ଝାଇଁ
ଝୁମୁରୀ କହୁଛି ଭୁଲିବ ନାହିଁ
ମନେରଖିବ ଏ କଥା
ନିତି ନିୟମରେ ନ ଚଳିଲେ ତୁମେ
ନିଶ୍ଚୟ ପାଇବ ବ୍ୟଥା ।


ରଚନା : ଶିଶିର କୁମାର ପଣ୍ଡା

ଠିକଣା : କୁଆଁସ , ମେରଦା କାଟିଆ , ଯାଜପୁର,   ଦୂରଭାଷ : ୮୯୮୧୭୩୭୨୨୮