ହଜିଲା ସପନ - ଧ୍ରୁବ ଚରଣ ବେହେରା

0
ଧୃବ ଚରଣ ବେହେରା
ଅଠରବାଟିଆ, ବାଲୁଗାଁ, ଖୋରଧା

ଗୋଧୂଳି ଲଗନେ ଶୂନ୍ୟତାର କୋଳେ
ସୁନେଲୀ ଆକାଶ ହସେ
ନିରୋଳତା ଏଠି କହୁଅଛି କଥା
ସବୁଜିମା ଚଉପାଶେ ।।

ଜଡ ଜୀବ ମାନେ ତୁନି ହୋଇଛନ୍ତି
ଏମିତି ମୂହୁର୍ତ୍ତ ପାଇ
ଶୀତଳ ସମୀର ବହୁଅଛି ଏଠି
ଆନମନା ଭାବ ନେଇ ।।


ନଇଁ ଯାଉଥିଲା ସନ୍ଧ୍ୟାର ସୂରୁଯ
ପାହଡ ଶିଖରୁ ଖସି
କପୋତ ବିଛେଦେ କପୋତୀ ବହୁନେ
କୃଷ୍ଣଚୂଡା ଡାଳେ ବସି ।।

ଚିଲିକା ରାଣୀଯେ ବସନ ତେଜିଲା
ପିନ୍ଧିଲା ରାତିର ବାସ
ଉଇଁ ଆସୁଥିଲେ ତାରା ହୀରାମାଳ
ରାତିରାଣୀ ହସହସ ।।


ଆସିବକି ସାଥି ଏମିତି ବେଳରେ
ପ୍ରୀତି ପରୀଟିଏ ସାଜି
ତୁମପାଇଁ ଆଜି ଧରଣୀ ଆଣିଛି
ସ୍ଵପ୍ନକୁ କରୁଛି ରାଜି ।।

ଆଖିରେ ତୁମର ଭରିଦେବ ତନ୍ଦ୍ରା
ମିଠା ମିଠା କଥା କହି
ତୁମେ ଶୋଇଯିବ ଶୂନ୍ୟତା କୋଳରେ
ଦେଖୁଥିବି ଧିରେ ଚାହିଁ ।।


ହୃଦୟରେ ତୁମେ ହଜିଯିବ ମୋର
ହଜିଲା ସ୍ମୃତିଟେ ହୋଇ
ସାଉଁଟିବି ତୁମକୁ ମରିଚିକା ପରି
ତୃଷାର୍ତ୍ତ ପଥିକ ମୁହିଁ ।।

ଯେତେ ଚାହିଁଲେ ବି ପାରିବିନି ଧରି
ଦୁଇବାହୁ ବନ୍ଧନରେ
ହଜିଲା ସପନ ହରି ଯାଇଅଛ
ସମୟ ସ୍ରୋତର ତୀରେ ।।

Post a Comment

0Comments
Post a Comment (0)