@ ବାଜେକଥା @
# ସଲିଳ ସିଲଟ #

କ'ଣ ଖୋଜୁଛନ୍ତି ? କିଛି ହଜିଯାଇଛି ? ହଜିଛି ଅନେକ,
ପାଇଛେ କ'ଣ ? ପିଲାବେଳେ
ବାବାଙ୍କ ଚବିଶି ଇଞ୍ଚିଆ ରାଲେ
ସାଇକେଲ ଚାଲିଚାଲି ଗଡଉ
ଗଡଉ ପେଡେଲରେ ପାଦ
ଦେଇଥିଲି । ସମୟକ୍ରମେ 
ଫ୍ରେମ ମଧ୍ୟରେ ଡାହାଣ ଗୋଡ 
ପୁରାଇ , ବାଁ ହାତରେ ହାଣ୍ଡଲ
ଆଉ ଡାହାଣ କାଖତଳେ ସିଟ,
ହାଫ ପେଣ୍ଟ ସାଙ୍ଗକୁ ହାଫ୍ ପେଡେଲ । ଆଃ ! କି ଆନନ୍ଦ ।
ଆଜି ଚାରିଚକିଆରେ ସେ ସୁଖ
କାହିଁ ? ବାବା ଦରମା ଆଣିବାକୁ
ଖୋରଧା ଯାଉଥିଲେ, ବୋଉ 
ଯାଏ ଟାଂଗି ବ୍ଳକ ଅଫିସ । 
ପ୍ରଶ୍ନପତ୍ର ଆଣିବାକୁ, ଲାଇବ୍ରେରୀ
ବହି ବା ଖେଳ ସରଞ୍ଜାମ 
ଆଣିବାକୁ ମଧ୍ୟ ବାବା କଟକ 
ଭୁବନେଶ୍ୱର ଯାଆନ୍ତି । ସଂଘ
କାମରେ ଝାଞ୍ଜିରୀମଙ୍ଗଳାସ୍ଥିତ
 'ବ୍ରହ୍ମଚାରୀ ଭବନ'କୁ ମଧ୍ୟ
ଯାଆନ୍ତି । ଫେରିଲାବେଳେ ଜହ୍ନମାମୁଁ,ମନପବନ,ବାଘମାମୁଁ,
ବିଲୁଆନନା, ଉଇଜଡମ୍ ଆଦି
ଶିଶୁ ପତ୍ରିକା ସହ ଖଲିପତରରେ
ଗୁଡାହୋଇଥିବା ଜଳଖିଆ ଆଣି
ଥାଆନ୍ତି । ସେ ପତ୍ରିକା ସହ
ସମକକ୍ଷ ପତ୍ରିକାଟିଏ ଏବେ 
ସାତ ସପନ । ପଲିଥିନରେ 
ଆଣୁଥିବା ଜଳଖିଆ ଆଉ ସେଭଳି
ସୁଆଦ ଲାଗୁନି । ପିଲାବେଳେ
ଗରମଗରମ ଉଷୁନାଚାଉଳ
ଭଜା(ଭୁଜ)ର ନିଆରା ସ୍ବାଦ
ଆଜିକାଲିର ପିଜା,ଚାଉମିନ କି
ବର୍ଗର ମଞ୍ଚୁରିଆନ୍ କ'ଣ 
ଦେଇପାରୁଚି ? ମୁଢି, କଞ୍ଚାଲଙ୍କା, ସୋରିଷ ତେଲ,ସିଝାମଟର,
ଧନିଆପତ୍ର ମିଶା ମସଲାମୁଢି
ସହ କୁରୁକୁରେ,ବିଙ୍ଗୋ,ଲେ'ଜ
ସମାନ ହବ ନା ଚୁଡାଛତୁଆ
ସହ ମ୍ଯାଗିଇପି ସମାନ ? ଆମ
ପିଲା ଏବେ ପାରମ୍ପରିକ ଖାଦ୍ଯକୁ
ଅଣଦେଖା କରି ଫାଷ୍ଟଫୁଡ୍ 
ଖାଉଛନ୍ତି, ନିୟମିତ ବ୍ଯାୟାମ
ନକରି ଫିଟ୍ ରହିବାକୁ ଜିମ୍ ଯାଇ
ଅର୍ଥଶ୍ରାଦ୍ଧ କରୁଛନ୍ତି । ସେକାଳର
କମଳାକୋଲି,ଲଜେନ୍ସ,ବାଟିଖଜା
ଯୋଉ ଆନନ୍ଦ ଦେଉଥିଲା, 
ଅମୁଲ,କିଟକାଟ'ରେ ଖୋଜିଲେ
ମିଳୁନି । ବାବାବୋଉଙ୍କ ସୀମିତ
ରୋଜଗାରରେ ଘରପରିବାର
ବେଶ ସୁରୁଖୁରୁରେ ଚାଲୁଥିଲା,
କିଛି ସଂଚୟ କରାଯାଉଥିଲା ।
ହେଲେ ଆଜି ମୁଁ ତା'ଠାରୁ ଅଧିକ
ରୋଜଗାର କରୁଥିଲେ ମଧ୍ୟ
ସଂସାର ଚକ ବେଳେବେଳେ
ସନ୍ତୁଳନ ହରାଇ ବସୁଛି । 
ସତରେ ମୁଁ ଅନେକ କିଛି ହରାଇ
ଏବେ ଖୋଜୁଛି,,,, 

 ସଲିଳ କୁମାର ସ୍ବାଇଁ, ଶିକ୍ଷକ
ମଂଗଳାଯୋଡି,ଟାଂଗି, ଖୋରଧା