# ବାଜେକଥା #

ଚଇତ ମାସରେ ଦଣ୍ଡଯାତ। ଇସ୍କୁଲରୁ ଫେରୁଫେରୁ ବସ୍ତାନୀ ଫିଙ୍ଗି ଜଳତୁଠକୁ ଧାଇଁ ଯାଉଥିଲି , ଯେଉଁଠି ଆମ ଗାଆଁ ଇଷ୍ଟଦେବ ବାବା ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ବରଙ୍କ ସ୍ନାନପର୍ବ ଚାଲୁଥାଏ,କାମନାଘର(ଗାଦିଶ୍ବରପୀଠ)ଠାରେ ଗଡା ସମାପନ ଅନ୍ତେ । ଜଳତୁଠରେ ପହଂଚି ଭକତା ହୋଇଥିବା ବଡବାବାଙ୍କୁ ଖୋଜ । ବଡବାବା ସର୍ବଦା ମୋତେ ଠାବକରି ଅଣ୍ଟାରୁ ଟଂକେ ଦିଟଂକା ଦିଅନ୍ତି । ଆଉ ମୁଁ ସେଇ ପଇସାରେ ବୋଟସିଜା(ସିଝା ମଟର) କିଣେ ଅର୍ଜୁନ ଗୁଡିଆଠୁ । ବୋଟସିଜା'ର ସୁମଧୁର ବାସନା କେବେବି ମନରୁ ହଜନି କି ଆଉ କୋଉଠି ବି ପାଇନି । ଅର୍ଜୁନ ଗୁଡିଆ ପଞ୍ଚଫୁଟଣ ଓ ଭୄସଙ୍ଗପତ୍ର ଦେଇ ଏପରି ଛୁଙ୍କ କରୁଥିଲେ ଯେ, ଯେକେହି ତାରିଫ କରୁଥିଲା । ତା'ଛଡା ବୋଟସିଜା ଉପରେ ସାଉଏ ଛିଞ୍ଚି ଦେଉଥିବା ସାମାନ୍ୟ ସେଉ(ବେସନରୁ ପ୍ରସ୍ତୁତ) ସ୍ବାଦକୁ ଦ୍ବିଗୁଣିତ କରୁଥିଲା । ଦଣ୍ଡଯାତ ଅଛି, ଜଳତୁଠ ଅଛି, ସେବା ଚାଲିଛି, ହେଲେ ବଡବାବା ନାହାଁନ୍ତି କି ଅର୍ଜୁନ ଗୁଡିଆ ନାହାଁନ୍ତି । ନାହିଁ ମଧ୍ୟ ଟାଣି ନେଉଥିବା ବୋଟସିଜା ।

  ଅପରାହ୍ନରେ ମଣିଆ ମା'ଙ୍କ ସେବା ଆଉ ରାତିକି ଯାତ । ଯାତ ଭିନ୍ନଭିନ୍ନ ଲୋକଙ୍କ ଦୁଆରେ ହେଉଥିଲା । ଆରମ୍ଭ ରାତିରେ କୋଠୀ ଦୁଆରେ ଆଉ ଶେଷ ରାତି ଆମ ଦୁଆରେ ହେଉଥିଲା । ଯାତ ହେଉଥିଲା ଏକୋଇଶ ହଳ ପଟେ । ଅର୍ଥାତ ଏକୋଇଶ ପ୍ରକାର ନୄତ୍ଯାଭିନୟ ଦୁଇଜଣ କଳାକାର କରୁଥିବା ବେଳେ, ପଟେ ଅର୍ଥାତ ଜଣେ 'କାଉପୁରୁଷ' ଅଭିନୟ କରୁଥିଲେ । ଆମେ ସାଙ୍ଗସାଥି କୋଠି ଦୁଆରୁ ଆରମ୍ଭ କରି ଆମ ଦୁଆର ପର୍ଯ୍ୟନ୍ତ , ପ୍ରାୟ ସବୁରାତି ଯାତ ଦେଖୁଥିଲୁ । ରାତିଖିଆପରେ ଆମେ କାନଡେରି ରହୁଥିଲୁ , କେତେବେଳେ କଢାଣ ବାଜା ବାଜିବ । ଏ ବାଜା ବାଜିବା ଦିଅଁ ଗମ୍ଭାରୀ ଭିତରୁ ବାହାରିବାର ସଂକେତ ଦେଉଥିଲା । ଆଉ ଆମେ ଏକା ନିଃଶ୍ବାସକେ ଦୌଡିଦୌଡି କୋଠି ଦୁଆରେ ପହଞ୍ଚି ଯାଉଥିଲୁ । କିଏ ଛତ୍ରୀ,  କିଏ ତ୍ରାସ କି ପତାକା, କିଏ ଅବା ଯାତ ଉପକରଣ ଧରି ଗନ୍ତବ୍ଯ ସ୍ଥାନକୁ ଯାଉଥିଲୁ । ସବୁ ରାତି ସେଇ ଏକା ଗୀତନାଚ ହେଉଥିଲେ ମଧ୍ୟ ଆମକୁ ବିରକ୍ତିବୋଧ ହେଉନଥିଲା । ସେହି ବର୍ଷର ଗରମାଗରମ ଗାଆଁ ବିଷୟକୁ ନେଇ ବୀରମାଷ୍ଟ୍ର(ଅନ୍ନପୂର୍ଣ୍ଣା ରଂଗମଂଚ'ର କଳାକାର)ଙ୍କ ପ୍ରସ୍ତୁତ ସୁଆଙ୍ଗ ମୂଖ୍ଯ ଆକର୍ଷଣ ଥିଲା । ରାତିରେ ପଦୁସାହୁ/ଅଇଁଠାସାହୁ ବିକୁଥିବା ପାମ୍ପଡ ମଧ୍ୟ ଆମକୁ ବେଶ୍ ଖୁସି କରୁଥିଲା । ପଦୁସାହୁ'ଙ୍କ ଢିଙ୍କିକୁଟା ତେନ୍ତୁଳି ଖଟା ଭାରି ସୁଆଦିଆ ଥିଲା, ଯାହାର ଦାମ୍ ଥିଲା ସେତେବେଳେ ସୁଉକିଟେ । ଏବେ ଯାତ ହେଉଛି । ହେଲେ 'ଏକୋଇଶ ହଳ ପଟେ' ନାମକୁମାତ୍ର । ହଳେ ଦିହଳ ବାହାର କରି, ଅପେରା/ଗୀତିନାଟ୍ୟ ହଉଚି । ଆଗଭଳି ମାନସିକତା ଆଉ ନାହିଁ । ବୀର ବୁଦ୍ଧିଆ ମାଷ୍ଟ୍ରେ ଅବସର ନେଲେଣି । ମାଧବ ମାଷ୍ଟ୍ରେ ଏବେ ମଙ୍ଗୁଆଳ । କିଛି ବ୍ଯକ୍ତି ପରଂପରା ବଜାୟ ରଖିଛନ୍ତି ସତ, ହେଲେ ଭାଇଚାରା ଆଉ ନାହିଁ କହିଲେ ଚଳେ । ସଂସ୍କାର ଅଭାବ ହେତୁ ସଂସ୍କୃତି ଲୋପ ପାଇବାକୁ ବସିଲାଣି ।

  ସଲିଳ କୁମାର ସ୍ବାଇଁ, ଶିକ୍ଷକ
 ମଂଗଳାଯୋଡି,ଟାଂଗି, ଖୋରଧା