ବ୍ୟଙ୍ଗ କବିତା - ପଶୁ ରୂପି ପ୍ରାଣ - ସରୋଜ କୁମାର ଶତପଥୀ

0
===ପଶୁରୂପୀ ପ୍ରାଣ===
~~~~~~~~~~~~
ବେମାରରେ ହେଇ ଛାଟିପିଟି
ବିତେଇଲି ତିନି ଚାରି ରାତି
ଅସହ୍ୟ ହେଲାରୁ ଜନ୍ତ୍ରଣାଟା ମୋର
କୁନ୍ଥେଇ ଚାଲିଲି ଡାକତର ଘର
କହିଲି ଥରୁଛି ସର୍ବାଙ୍ଗ ଶରୀର
ଦବ କି ଦି ପାନେ ଜଡି ବୁଟି

ଡାକତର ଶୁଣି କଥା ମୋର
ମୁଁହ ଛିଞ୍ଚାଡିକି ଗରଗର
କିଏ ପଠେଇଲା ତମକୁ ଏଠିକି
ଭୁଲ ଯାଗାକୁ ଆସିଲ କାହିଁକି
ମୁଁ ଗୋଟେ ପଶୁ ଡାକତର ବୋଲି
ଏକଥା କି ତମେ ଜାଣନା କି

କହିଲି ହେ ବାବୁ ଡାକତର
ମୋ ପାଇଁ ଟିକିଏ ଦୟାକର
ପଶୁ ଅାଉ ଏଇ ମଣିଷ ଭିତରେ
କ'ଣ ବା ଅଛି ଫରକ ସତରେ
ସବୁ ଜାଣି ଶୁଣି ଆସିଛି ଏଠିକି
ଉନ୍ନତ ଚିକିତ୍ସା ପାଇବାରେ

ସକାଳୁ ଦଉଡେ ଘୋଡା ପରି
ଗଧ ପରି ଖଟେ ଦିନ ଭରି
ସଞ୍ଜ ଗଡିଗଲେ କୁକୁରଙ୍କ ପରି
କୁଉଁ କୁଉଁ ହେଇ କରେ ମୁଁ ଗୁହାରୀ
ହେଇଗଲେ ରାତି ବଢିଯାଏ ଭିତି
ସିଂହୀ ସାଥେ ଶୁଏ ଶେଜ ପାରି

ଯଦି ବା ମଣିଷ ଜନ୍ମଜାତ
କୋଉଠି ରହିଲା ମଣିଷତ୍ବ
ବୟସ ବେଳରେ ପଶୁଙ୍କ ସ୍ବଭାବ
ବୁଢା ହେଲେ ହଡା ବଳଦର ରାବ
ଜୀବନଟା ଏଠି କଲବଲ ନିତି
ଅଧା ପଶୁ ଅଧା ମୁଁ ମାନବ

ଶୁଣ ହେ ପଶୁଙ୍କ ଡାକତର
ନୂଆ ରୂପେ କର ଉପଚାର
ଆଜିକାଲିର ଏ ଦୁନିଆ ବିଧାନ
ପଶୁ ମଣିଷରେ ନାହିଁ ବ୍ୟବଧାନ
କର ନାହିଁ ମନା ଦେବାକୁ ନିଦାନ
ବଞ୍ଚିଯାଉ ପଶୁ ରୂପୀ ପ୍ରାଣ
**********୦***********(ସରୋଜ ଶତପଥୀ)










ରଚନା : ସରୋଜ କୁମାର ଶତପଥୀ

ଠିକଣା : ଗାୟତ୍ରୀ ବିହାର,ଯାଜପୁର ରୋଡ୍ ,ଜିଲ୍ଲା,‐ଯାଜପୁର ଦୂରଭାଷ :


Post a Comment

0Comments
Post a Comment (0)