ମହୋଦଧି କୂଳେ ମହାଆନନ୍ଦରେ
ବସିଥାଅ ମହାବାହୁ,
ଦୁଃଖେ ମୋର ଏଠି ଭିଜିଲାଣି ଆଖି
ଲୁହ ହେଇ ସବୁ ଲହୁ,,।।

ମଣିଷଟେ କରି ଦେଲ ମତେ ଜନ୍ମ
ବଞ୍ଚୁଚି ଦାରିଦ୍ର୍ୟତାରେ,
ଅଭାବ ଭିତରେ ଘାଣ୍ଟି ହେଉଅଛି
ସ୍ବପ୍ନ ସାଇତି ଆଖିରେ,,।।



ପାରୁନ କି ଦେଖି ପ୍ରଭୁ ଚକାଆଖି
ହେଉଛି କେତେ ଶୋଷଣ,
କଢିଟିଏ ହେଇ ଝଡିପଡୁଛି ମୁଁ
ଭୋଗି ଅନେକ କଷଣ,,।।

ପିନ୍ଧିବାକୁ ଟିକେ ନାହିଁ ଚିରା କନା
ଢାଙ୍କି ପାରୁନାହିଁ ଲାଜ,
ପେଟକୁ ଦି'ମୁଠା ମିଳୁନାହିଁ ଦାନା
ତୋରାଣୀ ଅବା କି ପେଜ,,।।



ଢାଳିଦିଅ ସତେ ଦେଖି କୃପା ନେତ୍ରେ
କରୁଣାର ଟୋପେ ବିନ୍ଦୁ,
ତୁମରି ଦୟାରେ ଏ ଦୁଃଖି ଜୀବନେ
ଉଇଁବ ସୁଖର ଇନ୍ଦୁ,,।।




ଜିତେନ୍ଦ୍ର ସାହୁ
ଏମ୍.ତେନ୍ତୁଳିଆ, ପୋଲସରା, ଗଞ୍ଜାମ