ଅନେକ ଦିନ ତଳେ ମତେ ଭୁବନେଶ୍ୱରର ଏକ ପ୍ରସିଦ୍ଧ ହୋଟେଲ୍‌ରେ ଖାଇବାର ସୁଯୋଗ ଜଣେ ବନ୍ଧୁଙ୍କ ସୌଜନ୍ୟରୁ ପ୍ରାପ୍ତ ହୋଇଥିଲା । ଏହିପରି ହୋଟେଲ୍ ଭିତରକୁ ଆଗରୁ କେବେ ପଶିବାର ଅବକାଶ ନଥିବାରୁ, ସେଦିନ ସେଠାକାର ପରିବେଶ ଦେଖି ମୁଁ ଏକ ପ୍ରକାର ମୂକ ହୋଇଯାଇଥିଲି । ସେଇଠି ଖାଇବା ବେଳେ ମନେ ମନେ ନିଜକୁ ତୁହାକୁ ତୁହା ପ୍ରଶ୍ନ କରୁଥିଲି, ଆମ ଓଡ଼ିଶାର କେତେ ଲୋକ ଏମିତି ଖାଇବାର ସୁଯୋଗ ପାଉଛନ୍ତି? ବେଶି ଦୂର କଥା ଛାଡ଼ ଭୁବନେଶ୍ୱରଠାରୁ ପାଂଚ-ଦଶ କିଲୋମିଟର ଦୂରକୁ ଗଲେ ଓଡ଼ିଶା ଯେ କେତେ ଗରିବ ତା'ର ପ୍ରମାଣ ମିଳିଯାଏ । ସେହି ଗୋଟିଏ ଜାତି ମଣିଷ ଅଥଚ ତାଙ୍କ ଭିତରେ ଏପରି ସୋପାନ ଆଉ ଏତେ ଫରକ କରି ଭଗବାନ ସୃଷ୍ଟି କରିଛନ୍ତି କାହିଁକି ? ଏହା ମୁଁ ବୁଝିପାରିଲି ନାହିଁ ।

ଟିକିଏ ଆଗକୁ ଯାଇ ଚିନ୍ତା କଲେ ଅନେକଙ୍କର ପେଟର କଷ୍ଟ, ପିଠିର ଦୁଃଖ ଆଉ ମନର ଯନ୍ତଣା ଜାଣିହେବ । କାହା ପେଟରେ ଭୋକ ଥାଇ ତା'ପାଇଁ ଦାନା ନାହିଁ ଅଥଚ ଭୋକ ନଥାଇ କାହାପାଖରେ ଖାଦ୍ୟର ସମ୍ଭାର । ସେମିତି କାନ ଥାଇ କାହାପାଖରେ ପିନ୍ଧିବାକୁ ସୁନା ନାହିଁ ତ ସୁନା ଥାଇ କାହାପାଖରେ ପିନ୍ଧିବାକୁ କାନ ନାହିଁ । ଆହୁରି କାହାର ଧନ ସମ୍ପଦ ସବୁଥାଇ ମଧ୍ୟ ମନରେ ସୁଖ ନାହିଁ । ଏମିତି ଏ ସଂସାର ଅସମାନତାରେ ଭରପୁର । ଏକଥା ଭାବିଲେ ଦୁଃଖ ଲାଗେ କି, ଆଜିବି ଅନେକ ମଣିଷ ଅଛନ୍ତି ଯେଉଁମାନେ ନିଜର ଗୁଜୁରାଣ ମେଂଟାଇବା ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି! ଅଥଚ ସାମର୍ଥ୍ୟ ଥାଇ ମଧ୍ୟ ଆମେ ସେମାନଙ୍କର କିଛି କାମରେ ଲାଗିପାରୁନେ । ଯେପରି ଆମର ଅନ୍ନଦାତାର କଷଣ ନିରାକରଣ କରିବାରେ ଆମର ଆନ୍ତରିକତା ନାହିଁ । ଗୋଟିଏ ପଟେ ପ୍ରକୃତି ମହାକାଳ ସାଜି ତାଙ୍କୁ କଷ୍ଟ ଦେଉଥିବା ବେଳେ ଅନ୍ୟପଟେ ତା' ନିଜ ଭାଇମାନେ ମଧ୍ୟ ତାଙ୍କୁ କଷ୍ଟ ଦେଉଛନ୍ତି । କୋଉଠି ଫସଲର ଅଭାବି ବିକ୍ରି ତ କୋଉଠି ଋଣର ପ୍ରାଦୁର୍ଭାବରୁ ବେକରେ ରଶି ଲଗାଉଛନ୍ତି ଅଥବା ବିଷ ପିଉଛନ୍ତି ଚାଷୀ । ଦୈବ ଦୁର୍ବିପାକ ହେଲେ ଚାଷୀକୁଳ ବେଶୀ କ୍ଷତିଗ୍ରସ୍ତ ହୋଇଥିଲେ ସୁଦ୍ଧା କ୍ଷତିପୂରଣ ପାଇବାରେ ଅସମାନତା ଥାଏ । କାରଣ ଅନ୍ୟମାନଙ୍କ ତୁଳନାରେ ଲଢ଼େଇ କରି ହକ୍ ହାସଲ କରିବା ବିଚରାକୁ ଜଣାନାହିଁ । ଆମ ସମାଜରେ ଏହିପରି ଅସମାନତାର ଉଦାହରଣ ଖୋଜିଲେ ଅନେକ ମିଳିବ, ଯାହାର ନିରାକରଣ ହେବା ଆଜି ସମୟର ସବୁଠାରୁ ବଡ଼ ଆହ୍ୱାନ । ଏ ଯୁଗରେ ଧନ, କ୍ଷମତା, ପ୍ରତିପତି ସବୁ କୌରବଙ୍କ ହାତରେ । ତେଣୁ ପ୍ରତି ମୁହର୍ତରେ ଆକ୍ରୋଷର ଶିକାର ହେଉଥିବା ପାଣ୍ଡବମାନଙ୍କୁ ବାରମ୍ବାର ହାରିବାକୁ ପଡ଼ୁଛି । ଆଉ ଠିକ୍‌ବାଟରେ ଚାଲୁଥିବା ଜଣେ ବ୍ୟକ୍ତି ଏହିପରି କ୍ଷମାତାସମ୍ପନ୍ନ ଧନାଢ଼୍ୟ ବ୍ୟକ୍ତିଙ୍କ ସହ ଧର୍ମଯୁଦ୍ଧ କରି ଜିତି ନପାରି କବାଟ କୋଣରେ ଗୁମୁରି କାନ୍ଦୁଥିବା ବେଳେ ତା'ପ୍ରତି ଆମର ସମର୍ଥନ ନାହିଁ ।

ବିଜ୍ଞାନର ଦ୍ରୁତ ଅଗ୍ରଗତି ହୋଇଥିଲେ ସୁଦ୍ଧା ମାନସିକ ଅସମାନତା ଆଜି ମଧ୍ୟ ଆମ ପିଛା ଛାଡ଼ି ନାହିଁ । ସଭାସମିତି ତଥା ବିଜ୍ଞାପନରେ ଅନ୍ଧବିଶ୍ୱାସ ନିରାକରଣ ପାଇଁ ସଚେତନତା ଅଥଚ ଆମ ଆଗରେ ପରିବେଶିତ ଦୁରଦର୍ଶନର ଅଧିକାଂଶ ନାଟକରେ ଅନ୍ଧବିଶ୍ୱାସକୁ ନେଇ କପୋଳକଳ୍ପିତ କାହାଣୀମାନ ପ୍ରଦର୍ଶୀତ ହେଉଅଛି । ଯାହାକୁ ପରିବର୍ତନ କରିବାର ମାନସିକତା ଏ ପର୍ଯ୍ୟନ୍ତ ଆମର ସୃଷ୍ଟି ହୋଇନାହିଁ । ସେହିପରି ସାଧାରଣ ଜନତାଙ୍କ ପାଇଁ ଅସାଧାରଣ କ୍ଷମତା ଭୋଗ କରୁଥିବା ନେତୃବୃନ୍ଦଙ୍କର ମାନସିକତା ଏକ ବାରମାସୀ ଚଢ଼େଇ ପରି ନିର୍ବାଚନୀ ଋତୁକୁ ନେଇ ବାରମ୍ବାର ବଦଳିଥାଏ । ଜନତାଙ୍କ ଆଗରେ ଗୋଟିଏ କଥା ତ ପଛରେ ଆଉ ଗୋଟିଏ । ଯଦି କିଛି ଘଟଣା ଦୁର୍ଘଟଣା ଘଟିଲା ତେବେ ଆଇନ୍ ତା\'ବାଟରେ ଯିବ ବୋଲି ଯିଏ କୁହନ୍ତି, ସେ ପୁଣି ସେଥିରେ ଅବାଞ୍ଛିତ ହସ୍ତକ୍ଷେପ କରନ୍ତି । ଯାହା ସର୍ବସାଧାରଣରେ ଗ୍ରହଣୀୟ ହୁଏନାହିଁ । ସେହିପରି ବଡ଼ ବଡ଼ କଥା କହୁଥିବା ସମାଜର ବଡ଼ପଣ୍ଡାମାନେ କେତେ ଯେ ଛୋଟ କାମ କରୁଛନ୍ତି ତାହା ସମସ୍ତଙ୍କୁ ଜଣା । ଆହୁରି ଅସମାନତା ସୃଷ୍ଟି ହୋଇଛି ଆମର ପ୍ରାପ୍ୟ ପ୍ରଦାନରେ । ସମାନ କାମ କରି ମଧ୍ୟ ଅସମାନ ଦରମା ପାଉଥିବା ବ୍ୟକ୍ତିର ମାନସିକ ଯନ୍ତଣା ଆର୍ଥୀକ କଷଣ ବୁଝିବାକୁ କେବେ ମନ ବଳାଇନାହାଁନ୍ତି ଆମ ନେତୃବୃନ୍ଦ । ସୃଷ୍ଟି ଆରମ୍ଭରୁ ଏହିପରି ଅସମାନତା ଥିଲା ଆଉ ଆଗକୁ ହୁଏତ ରହିଥିବ । କିନ୍ତୁ ସେହି ଅସମାନତା ଅନ୍ତରାଳେ କାହାମନରେ କେତେ କଷ୍ଟ, କ୍ଷୋଭ ଆଉ ଯନ୍ତଣା ସୃଷ୍ଟି ହେଉଥିବ ତାକୁ ବୁଝିବା ଆଉ ସମାଧାନ କରିବାର ମାନସିକତା ଆମ ସମସ୍ତଙ୍କର ରହିବା ଉଚିତ୍ । ସର୍ବୋପରି ଏହି ଅସମାନତା ଦୂର ନହେବା ଯାଏ, ଶାସନ ଓ ସମାଜ ଉପରେ ସାଧାରଣ ଲୋକଙ୍କ ଆସ୍ଥା ଆଉ ବିଶ୍ୱାସ ରହିବ ନାହିଁ ।

କିସ ମାନିତ ବିଶ୍ଵବିଦ୍ୟାଳୟ, ଭୁବନେଶ୍ଵର

ସ୍ଥାୟୀ ଠିକଣା - ପୁରୁଣାଗଡ଼, ଜଗତସିଂହପୁର, ମୋ -୯୭୭୬୬୯୨୨୦୭