ଆଦି ଦେବତା ହେ ବିଘ୍ନ ବିନାଶକ
ଗଣପତି ଗଜାନନ
ସବୁ ଶୁଭ କାର୍ଯ୍ୟେ ଗିରିଜା ନନ୍ଦନ
ତୁମକୁ ଯେ ଆବାହନ ।
ବିନା ବିଜ୍ଞାନ ବୁଦ୍ଧିମତାରେ
ତୁମର ଯେ ପରିଚୟ
ଶିକ୍ଷାର ଦେବତା ବିଦ୍ୟାଳୟେ ତୁମେ
ଶିବ ପାର୍ବତୀ ତନୟ ।
ପୌରାଣିକ ମତେ ଲେଖିଥିଲ ତୁମେ
ବ୍ଯାସୋକ୍ତ ମହାଭାରତ
ଭାଦ୍ରବ ଶୁକ୍ଲ ଚତୁର୍ଥୀ ରେ ତୁମେ
ମର୍ତ୍ତ୍ୟରେ ବିରାଜିତ ।
ଶାସ୍ତ୍ରରେ ବତିଶ ପ୍ରକାର ରୂପର
ବର୍ଣ୍ଣନା ହୁଏ ତୁମର
ଥନ୍ତଲ ପେଟକୁ ଗଜ ମସ୍ତକ
ଏକଦନ୍ତ ବିଶେଷର
ଏକବିଂଶ ଲଡୁ ଭୋଗ ଯେ ତୁମର
ପୂଜା ଷୋଡ ଉପଚାର
ସତ୍ଯ, ତ୍ରେତୟା, ଦ୍ବାପର, କଳି
ସବୁ ଯୁଗେ ଅବତାର ।
ସିଦ୍ଧିପ୍ରାପ୍ତି ହୁଏ ପୂଜିଲେ ତୁମକୁ
ଆହେ ମୂଷିକ ବାହନ
ଜ୍ଞାନର ଗାରିମା, ସୌଭାଗ୍ୟ ସଂପଦ
ଭରି ଉଠେ ଏ ଜୀବନ ।

Writer's Details: ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)
ଓରାଳି,ହାଟଡିହି, କେନ୍ଦୁଝର ।।
Content Category:
Submission Date: Nov 12, 2019