ବୋଉ।।
ନାଲି ଗୋଡି ମାଟିକୁ
କେଉଁ
ଏକ ଗାଁ ରୁ ଆଣି ସହରର
ଚକ୍ ଚକ୍ ମାର୍ବଲ
ଚଟାଣ ଉପରେ
ଥୋଇଦେଇଛି ଏ ପବନ।।
ସମୟର ଦୋଛକିରେ
ଠିଆ ହୋଇ ସବୁ
ଭୁଲିଯାଇଥିଲେ ମଧ୍ୟ
ଭୁଲିପାରିନି ସେ
ଢ଼ିଙ୍କି କୁଟା ନାଲି ଚାଉଳର ଭାତ।।
ଭୁଲିପାରିନି ତୋର ସେ
ଛିଣ୍ଡା ଚିରା ଫଟା ମଇଳା
ପଣତ କାନିର ବାସ୍ନା
ଭୁଲିପାରିନି
ତୋର ସେ ସ୍ନେହରେ
ଉଜୁଡି ପଡୁଥିବା ଶରଧା, ପ୍ରେମର
ଉଦୁ ଉଦିଆ ଜହ୍ନତଳେ
ଗୀତ ଗାଇ ଶୁଆଇ ଦେଉଥିବାର
ସେ ଜହ୍ନମାମୁଁର ଗୀତ।।
ଭାରି ମନେ ପଡେ ଲୋ ବୋଉ
ରାତିହେଲେ ମର୍କୁରୀ
ଲାଇଟି ଦେଖି
ଆଖି ଓଦା ହୁଏ ସିନା
କିନ୍ତୁ ଖୋଜି ପାଏନି
ତୋ କୋଳରେ ସେ
ଧୋରେ ବାଇଆ ଧୋ
ଗୀତ ପଦକୁ।।
ଗାଁ ଦଳ ପୋଖରୀରୁ ବୁଡି ବୁଡି
ଶୀତୁଆ ପାଲଟି ଆସିଲା ପରେ
ଭୁଲିଯାଇନି ତୋ ଧୂଳି ମଇଳା
ପଣତରେ ଦେହ ମୁଣ୍ଡ ପୋଛି
ଶାସନ କରିବାର କଥା।।
ବେଶି ଦୁଃଖ ଦିଏ
ଯେବେ ମୋତେ ଟିକେ ଥଣ୍ଡା ଜ୍ଵର ହେଲେ ତୁ କେମିତି ଯନ୍ତ୍ରଣାରେ
ଛଟ ପଟ ହେଉଥିଲୁ
ଆଜି ଟିକେ ବୁଝିବାର ବୟସ ହେଲା ପରେ ଭାରି ମନେ ପଡେ ଲୋ ବୋଉ।।
ହେଲେ ଆଜି
ଶ୍ରୀମନ୍ଦିରର ନେତ ଭଳି
ଉଡୁଥିବା ପଣତ କାନି
ଯେତେବେଳେ ମୋ ଠାରୁ
ଅଠର ଶହ କିଲୋମିଟର
ଦୂରରେ ରହି
ମୋ ମଥା ଉପରେ
ଆଶୀର୍ବାଦର ଟୀକା ହୋଇ
ଛାଇ ପରି ଉଡୁଛି,
ଗର୍ବରେ ଏ ଖୁସିକୁ
ଦୁଇ ଆଖିର ଲୁହ ପରଦାରେ
ମାପି ପାରୁନି ଲୋ ବୋଉ।।
ପ୍ରଦୀପ ବନ୍ଧ, ଭଦ୍ରକ, ବାସୁଦେବପୁର
ସନମଛୁଆଘାଇ, ରାଜଘରପୋଖରୀ
ଭ୍ରାମ୍ୟଭାଷା--୮୦୭୨୭୮୩୨୨୦।।
