********ମହାତ୍ମା ତୁମେ ସାକ୍ଷାତ ********
ସାରା ଭାରତର ବାପୁଜୀ ହେ ତୁମେ
ସାବରମତୀର ସନ୍ଥ,
ସତ୍ୟ ଶାନ୍ତି ମୈତ୍ରୀ ପ୍ରଗତି ଅହିଂସା
ପ୍ରତୀକ ମୂର୍ତ୍ତିମନ୍ତ ।
କିଏ ଜାଣିଥିଲା ତୁମ ପରି ପିଲା
ଦେଖାଇବ ନୂଆ ପଥ,
କାବା ଗାନ୍ଧୀ କୋଳ ମଣ୍ଡନ କରିଲ
ଧନ୍ଯ ରାଜ୍ୟ ଗୁଜରାଟ ।
ପୋର୍ ବନ୍ଦରରେ ବୈଶ୍ଯ ପରିବାରେ
ହୋଇଲ ତୁମେ ଜନମ,
କହିବାକୁ ସତ କଠୋର ଶପଥ
ପିଲାଦିନୁ ହେଲା ଧର୍ମ ।
ପଢାସାରି ଦେଶେ ଚଳିଲ ବିଦେଶେ
ପଢ଼ିବାକୁ ବାରିଷ୍ଟରି,
ସତ୍ୟ ଅହିଂସା ର ନୂତନ ମନ୍ତର
କର୍ଣ୍ଣେ ଦେଲ ତୁମେ ଭରି ।
ସଫଳତା ପାଇ ଉତ୍ସାହିତ ହୋଇ
ପ୍ରୟୋଗ କଲ ଦେଶରେ,
ତୁମ ନେତୃତ୍ୱରେ ଏକତା ସୂତ୍ରରେ
ମାତି ଅହିଂସା ସମରେ ।
ନବ ଜାଗରଣେ ନବ ଉନ୍ମାଦନେ
ବିଦେଶୀ ଜାତି ଚକିତ,
ଇଂରେଜ ଶାସନ ହେଲା ଅବସାନ
ଜୟ ସ୍ୱାଧୀନ ଭାରତ ।
ସରଳ ଜୀବନ ଦେଲ ଗୀତା ଜ୍ଞାନ
କାଟି ପିନ୍ଧ କୁଟି ଖାଅ
ଏ ତୁମ ଆହ୍ବାନ ଚେତନା ନବୀନ
ତୁଟିଲା ସକଳ ଭୟ ।
ଚରମ ତ୍ୟାଗର ଶ୍ରେଷ୍ଠ କର୍ମ ବୀର
ତୁମେ ଉଜ୍ଜ୍ୱଳ ଦୃଷ୍ଟାନ୍ତ,
ଯୁଗ ଯୁଗ ପାଇଁ ସ୍ମୃତି ଥିବ ରହି
ମହାତ୍ମା ତୁମେ ସାକ୍ଷାତ ।
**********ଘନଶ୍ୟାମ ସାହୁ ************
ସହ-ସମ୍ପାଦକ -- ତ୍ରିଧାରା ସାହିତ୍ୟ ସଂସଦ,ବଇଣ୍ଡା,
ଜିଲ୍ଲା --- ଅନୁଗୋଳ
ମୋବାଇଲ ନମ୍ବର ---- ୭୯୭୮୦୫୭୬୯୫





ରଚନା : ଘନଶ୍ୟାମ ସାହୁ

ଠିକଣା : ବଇଣ୍ଡା ,ଅନୁଗୋଳ ଫୋନ ନମ୍ବର : ୭୯୭୮୦୫୭୬୯୫