ଆଜି ସାବିତ୍ରୀ ବ୍ରତ, ରହି ରହି ମନେ ପଡୁଛି ପୁଣି ତା କଥା l ସେ ଆଉ ନାହିଁ ସତ ଛାଡ଼ି ଯାଇଚି ଅସୁମାରି ସ୍ମୃତିର ଗନ୍ତାଘର l ସତରେ ସେ ଏକା ଧାରାରେ ଥିଲା ଲକ୍ଷ୍ମୀ, ସାବିତ୍ରୀ, ଦୟାବନ୍ତି ମାଆଟିଏ ଅଉ ଗୋଟେ ଆଜ୍ଞାଧୀନା ବୋହୂ ଆଉ ସ୍ତ୍ରୀ l କେତେ ସୁନ୍ଦର ସରଳ ଥିଲା ତା ଜୀବନ, ପ୍ରେରଣା ଢ଼ାଳି ଦେଇ ଚାଲିଗଲା ସେ l ସବୁ ପୁନିଆ ପର୍ବ, ସେ ବୋହୁତ୍ ନିଷ୍ଠାର ସହ ପାଳେ, ଉପାସ କରେ ସେଥିରେ ସବୁ କାମ ବି କରେ l କାହା କଥା ଶୁଣେନି , ବୁଢ଼ୀ ହେଇଯାଇଥିଲା ପଛେ ସେଇ ନିଷ୍ଠାର ସହ ସବୁ କାମ କରେ ଯୋଉ ନିଷ୍ଠା ମୁଁ ମୋ ଛୁଆ ଦିନରୁ ଦେଖି ଆସୁଥିଲି l
ସେ ପାଖରେ ଥିଲେ ସାବିତ୍ରୀ ବ୍ରତ ପାଳନ ଠାରୁ ରଜ ପର୍ବ ଯାଏ ସବୁ ପର୍ବ ବୋହୁତ୍ ସୁନ୍ଦର ଲାଗେ l ତାକୁ ସେଦିନ ଆଖିଭରି ଦେଖିବାକୁ ଇଛା ହୁଏ l ମୋ ଆଈ ସତ ସତ ଦେବୀ ପ୍ରତିମା ଲାଗେ ମତେ l ସବୁ ଦିନ ପରି ସେ ନିଜକୁ ସଜାଏ କିନ୍ତୁ ପର୍ବ ପର୍ବାଣୀମାନଙ୍କରେ ସେ ବୋହୁତ୍ ଖାସ୍ ଲାଗେ l ଲୋକ ଗୋରା ଚମଡା ପଛରେ ପାଗଳ ହୁଅନ୍ତି କିନ୍ତୁ ମୋ ଅଜାଙ୍କ ପସନ୍ଦ ମାନିବାକୁ ହବ ସେ ନିଜେ ଗୋରା ତକତକ ହୋଇ ବାଛିଥିଲେ ସାବେନି ସ୍ତ୍ରୀ l ସାବିତ୍ରୀ ଦିନ କିଛି ଖାସ୍ ଲାଗେ ସେ ମତେ l ଲାଲ କଟନ ଶାଢ଼ି, ମୁଣ୍ଡରେ ଓଢ଼ଣା, ତା କଳା ରୁ ଧଳା ହୋଇ ଆସୁଥିବା ବେଣୀର ଖୋସା, ମୁଣ୍ଡ ର ମଝୀ ରେ ଦିଆସିଲି କାଠି ରେ ଆଙ୍କିଥିବା ଲାଲ ସିନ୍ଦୁର, ପାଦରେ ଅଳତା, ହାତ ରେ ଧଳା ସଙ୍ଖା ସହ ଲାଲି ଚୁଡ଼ି ବେଶ୍ ମନ ଲୋଭା ଲାଗେ l କିଛି ପାଟି ଖୋଲି ମାଗେନି କିନ୍ତୁ ତା ପାଇଁ ସାନ ମାଉସୀ ସବୁ ସଜେଇ ଦିଏ ପର୍ବ ପର୍ବାଣୀ ସମୟରେ l ତା ସହ ମୁଁ ବୋହୁତ୍ ଥର ଯାଇଚି ସାବିତ୍ରୀ ବ୍ରତ ପୂଜା ଦେଖିବାକୁ l ଅଜାଘର ଗାଁ ମଝିରେ ଜଗନ୍ନାଥ ମନ୍ଦିର ଆଉ ତା ଆଗରେ ଥିବା ଆମ୍ବ ଗଛ ମୂଳେ ପୂଜା ହୁଏ l ସବୁଠୁ ଅଧିକା ମଜା ଲାଗେ ପୂଜା ପରେ ଭୋଗ ଖାଇବାକୁ, ନିଜେ ଠିକ୍ ରେ ନଖାଇ ଆମକୁ ଖୁଆଇ ଦିଏ l ସାଗୁ ସହ କେତେ କଣ ଜାତି ଜାତିକା ଫଳ ସବୁ ଚକଟି ଦିଏ, ବୋହୁତ ସୁଆଦିଆ ଲାଗେ l ମୁଁ ତ ଥିଲି ତା ଲାଙ୍ଗୁଡ଼, ସେ ଯୁଆଡେ ମୁଁ ସିଆଡ଼େ ବାସ୍ ସ୍କୁଲ ଛୁଟି ହେଇଥିବା ଦରକାର ନହଲେ ଗାଁକୁ ଆସିବାକୁ ଦିଅନ୍ତିନି ବାବା ମାମା l ସେ ବଡିଭୋରରୁ ଉଠିବ ନିଦରୁ ମୁଁ ବି ଉଠିପଡେ ତାସହ ଫୁଲ ତୋଳିବାକୁ l ସେ ମତେ ଖାଇବାକୁ ଦେଇ ମୁଣ୍ଡ କୁଣ୍ଡାଉଥିବ ଗାଧୋଇ ଯିବ ବୋଲି, ମୁଁ ବସି ଯାଏ ତା ଆଗରେ ମୋ ମୁଣ୍ଡ ବି କୁଣ୍ଡାଇଦେ ବୋଲି l ଚୁଟି କହିଲେ ପୁରା ପୁଅ ପିଲା ଚୁଟି, ମୋ ଆଈ ସେଥିରେ ଦିଟା ନଡିଆ ଗଛ ଠିଆ କରେଇ ଦେଇଥିବ l ଆଉ ମୁଁ ଆଇନାରେ ଚୁଟି ଦିଟାକୁ ହଲେଇ ଦେଇ ନିଜକୁ ସ୍ଵର୍ଗର ଅପସରି ପରି ଭାବୁଥିବି l ବେଳେ ବେଳେ ମୁଁ ବି ଜଲଦି ଗାଧୋଇ ପାଧୋଇ ରେଡି ହୋଇ ତାକୁ ଅପେକ୍ଷା କରେ ମନ୍ଦିର ଯିବାକୁ ତା ସାଥିରେ l ସେ ଗାଧୋଇ ଆସି ପୂଜା ରେ 40 ମିନିଟ୍ ସମୟ ବିତେଇବ ଆଉ ମୁଁ ତା ପଛେ ପଛେ ପୂଜା ଘର ଠାରୁ ବାରି ପଛ ବେଲ ଗଛ ପୂଜା କରିବା ଆତେ ଘୁରି ବୁଲୁଥିବି l ଏମିତିରେ ସବୁ ପୂଜା ପାଠ ଶିଖିଗଲି l ସେ ଯେବେ ନଥାଏ କି ତା ଦେହ ଖରାପ ଥାଏ, ଅଜା ମତେ କୁହନ୍ତି ପୂଜା କରିବାକୁ ଆଉ ମୁଁ ଚେଷ୍ଟା କରେ ଅବିକଳ ତା ପରି ପୂଜା କରିବାକୁ , ଅଜା ପ୍ରଥମେ ପ୍ରଥମେ ସବୁ ଜୋଗାଇ ଦଉଥିଲେ କିନ୍ତୁ ଧୀରେ ଧୀରେ ମୋର ଅଭ୍ୟାସ ହେଇଗଲା l ମୁଁ ଯେହେତୁ ସବୁ ଶିଖିଯାଇଥିଲି ଆଈ କେବେ କେବେ ମତେ କୁହେ ପୂଜା କରିଦେଲୁ ମୋ ମା ଟା ପରା ଆଉ ମୁଁ ଖୁସି ହୁଏ ଏମିତି କାମରେ l କିନ୍ତୁ ଜାଣିନି ସେ ମୁଣ୍ଡିଆ ମାରିବା ବେଳେ କଣ ମାଗେ ନିଶ୍ଚିନ୍ତ ସମସ୍ତଙ୍କ ମଙ୍ଗଳ କାମନା କରେ, ମୁଁ କିନ୍ତୁ ଖାଲି ତା'ର ଆଉ ଅଜାଙ୍କ ମଙ୍ଗଳ କାମନା କରେ l ବୋହୁତ୍ ସ୍ୱାର୍ଥପର ଥିଲି ମୁଁ, ମୋ ଅଜା, ଆଈ ଆଉ ସାନ ମାଉସୀ କେବଳ ମୋର ଆଉ କାହାକୁ ବେଶୀ ସ୍ନେହ କଲେ ମୁଁ କାନ୍ଦି ଦିଏ l ବାବା ମାମାଙ୍କ ପାଇଁ ଏତିକି ଲୋଭ ନଥିଲା ଯେତିକି ସେମାନଙ୍କ ପାଇଁ ଥିଲା l ଧୀରେ ଧୀରେ ବୁଝିଲି ସବୁ ସମ୍ପର୍କ କିଛି କିଛି ସ୍ନେହ ଡୋରିରେ ବନ୍ଧା l ନିଜକୁ ସଙ୍କୁଚିତ କରି ରଖିଥିଲି ସତ, କିନ୍ତୁ ବେଶି ସମୟ ନେଇ ନଥିଲି ଭାଇ ଭଉଣୀ ସାଙ୍ଗ ସାଥି ସମସ୍ତଙ୍କ ସହ ଖୁବ୍ କମ୍ ସମୟରେ ମିଶି ଯାଇଥିଲି ଆଉ ସମସ୍ତଙ୍କୁ ନିଜର କରି ଦେଇଥିଲି l ସେ ନାହିଁ ସତ, କିନ୍ତୁ ଏବେ ବି ଅନୁଭବ ହଉଛି ସେ ମୋ ଭିତରେ ଲୁଚି ରହିଛି ଆଉ ସମୟ ସମୟରେ ନିଜକୁ ପରିପ୍ରକାଶ କରୁଛି l
ରଚନା : ପଲ୍ଲବୀ ଦାସ
ଠିକଣା : ଗାୟତ୍ରୀ ନଗର, ନୂଆ ଶାସନ, ଢେଙ୍କାନାଳ, ଓଡିଶା ଦୂରଭାଷ :
Sent via Google Forms Email
0 Comments
You can write now your valuable comments here. Off-topic comments may be removed or deleted without prior notice.