ନବ ରାତ୍ର ପୂଜା ବିଧି ହେଲା ଶେଷ
ମାତା ଆସି ପୁଣି ନେଲେ ବିଦାୟ
ସତ୍ୟ ଧର୍ମ ନ୍ୟାୟ ପଥ ବରିଛେ କି
ଆତ୍ମ ସମୀକ୍ଷାର ଏହି ସମୟ ୲୲
ଆଚରଣେ ଅବା ଉଚ୍ଚାରଣେ କିବା
ଅଛି କୁହ ଆମ ଦିବ୍ୟତା ଭାବ
ଦମନ କରି କି ପାରିଛେ ସତରେ
ମନରୁ ଆମର ହିଂସା କି ଲୋଭ ??
ପାରିଛେ କି ମାରି ନିଜ ଭିତରର
ଅସୁର ପ୍ରକୃତି ଅସୁର ବୁଦ୍ଧି
ଷଡ ରିପୁ ପୂର୍ଣ୍ଣ ଅନ୍ତର ବାହାର
କେମିତି ଭାବୁଛେ ମିଳିବ ସିଦ୍ଧି ??
ପୂଜା ମଣ୍ଡପରେ ମାଆଙ୍କୁ ବସାଇ
ମଦ ମାଂସ ଲୋଭେ ମାତିଛି ଭେଜା
ନାରୀ ପ୍ରତି ଯଦି ନାହିଁ ସନମାନ
ବୃଥା ଅଟେ ଆମ ମୃଣ୍ମୟୀ ପୂଜା ୲୲
କାମନା ବାସନା ତାମସିକ ଭାବ
ସ୍ଵଭାବରେ ଯଦି ରହିଛି ଲୁଚି
ପର ଧନ ମାନେ ଈର୍ଷା ବଢେ ମନେ
ହୀନ ଚକ୍ରାନ୍ତରେ ବଢୁଛି ରୁଚି ୲୲
ଦୁଃଖୀ ରଙ୍କି ଦେଖି ମନରେ ଆମର
ଆସୁ ନାହିଁ ଯଦି ଦୟା କରୁଣା
ଦାନ ଧର୍ମ ନାମେ ତୁଚ୍ଛା ପ୍ରହସନ
ସବୁ ଖାଲି ଏଠି ମିଛ ବାଜଣା ୲୲
ଭକ୍ତି ନାହିଁ ହୃଦେ ଖାଲି ଦେଖାଣିଅା
ମିଛେ ମାଆ ଡ଼ାକ ପଡ଼ିଛି ହୁରି
ସ୍ଵଚ୍ଛ ନାହିଁ ଯଦି ମନ କି ହୃଦୟ
ମାଆ କି ପାପରୁ ଦେବେ ଉଦ୍ଧାରି ??
ଅନ୍ୟକୁ ଆଙ୍ଗୁଳି ନ ଦେଖାଇ ଭାଇ
ନିଜକୁ କରିବା ପରିବର୍ତ୍ତନ
ରୁଗ୍ଣ ମନୋଭାବ ହେବ ରୂପାନ୍ତର
ହୃଦୟେ ଆସିବ ଦିବ୍ୟ ଚିନ୍ତନ ୲୲
ଶୁଦ୍ଧତା ଦିବ୍ୟତା ଯେଉଁ ମନେ ବନ୍ଧା
ଶୋଭା ପାଏ ସେଠି ମାଆଙ୍କ ନାମ
ବିଜୟା ଦଶମୀ ନବ ରାତ୍ର ପୂଜା
ସାର୍ଥକ ହୋଇବ ମରତେ ଆମ ୲୲
ଆଜି ଦଶହରା କରିବା ଶପଥ
ମନର ବିକାର କରିବା ନାଶ
ମାନବ ଅନ୍ତରେ ମହନୀୟ ଭାବ
ଫେରାଇ ଆଣିବା ସରବେ ଆସ ୲୲
ଦିବ୍ୟ ହେବ ଯଦି ଧରା ଧାମ ଆମ
କାହିଁ ସ୍ଥାନ ଏଠି ମହିଷାସୁରେ
ମନର ସଂକଳ୍ପ ଅଛି ଯଦି ସ୍ଥିର
ସ୍ଵର୍ଗ ସୁଖ ପରା ଅନତି ଦୂରେ ୲୲
ରଚନା : ସଂଯୁକ୍ତା ରାଉତ
ଠିକଣା : ଜୟପୁର , କୋରାପୁଟ ଫୋନ ନମ୍ବର :
Sent via Google Forms Email
