ଉତ୍କଳ ମାଟିର ସୁଯୋଗ୍ୟ ସନ୍ତାନ
ଥିଲ ହେ ଉତ୍କଳମଣି
ଶୁଭେ ଏ ମାଟିର କୋଣେ ଅନୁକୋଣେ
ତୁମରି ମହତ ବାଣୀ ୲୲

ସେବା ଓ ଅହିଂସା ଥିଲା ତୁମ ବ୍ରତ
ସରଳ ଶାନ୍ତ ସ୍ଵଭାବ
କର୍ମରେ ଧର୍ମରେ ଫୁଟିଉଠୁଥିଲା
ପର ଉପକାର ଭାବ ୲୲

ହେ ଦାସେ ଆପଣେ ବିବେକ ପଣରେ
ଥିଲ ବଡ଼ ସ୍ଵାଭିମାନୀ
ଏ ଜାତିର ତୁମେ ଥିଲ ଗଉରବ
ଜ୍ଞାନୀ ପଣରେ ସୁଜ୍ଞାନୀ ୲୲

ଉତ୍କଳ ଜନନୀ ଝୁରେ ନିତିନିତି
ତୁମ ପରି କେ ହୋଇବ
ମରଣ ମୁଖରେ ନିଜ ପୁତ୍ର ଛାଡି
ଦେଶ ସେବା କେ କରିବ ୲୲

ବନ୍ୟା ପ୍ରପୀଡ଼ିତ ଦୁଃଖୀ ଦରିଦ୍ରଙ୍କ
ଥିଲ ତୁମେ ପ୍ରାଣବନ୍ଧୁ
ଏମିତି ମଣିଷ କୋଟିରେ ଗୋଟିଏ
ହୃଦୟ ଦୟାର ସିନ୍ଧୁ ୲୲

ମାତୃଭାଷା ପ୍ରୀତି ସ୍ଵଦେଶ ଚେତନା
ରକ୍ତେ ରକ୍ତେ ତୁମ ଲେଖା
ବକୁଳ ବନର ବନ ବିଦ୍ୟାଳୟ
ନୀତି ଆଦର୍ଶର ଶିକ୍ଷା ୲୲

ସମାଜ କାଗଜ ପ୍ରତିଷ୍ଠାନ ତୁମ
ଲକ୍ଷ ଥିଲା ଜାଗରଣ
ଉତ୍କଳ ଜାତିର ଚିର ସ୍ମରଣୀୟ
କୀର୍ତ୍ତି ତୁମ ଅମଳିନ ୲୲

ଭାଷା ସାହିତ୍ୟର ତୁମେ ସଂରକ୍ଷକ
ହେ ସାରସ୍ଵତ ସାଧକ
ପ୍ରେରଣା ପ୍ରଦାୟି ପ୍ରତିଟି ସର୍ଜନା
ତୁମେ ଶ୍ରେଷ୍ଠ ସାହିତ୍ୟିକ ୲୲

ସ୍ଵତନ୍ତ୍ର ଉତ୍କଳ ଗଠନରେ ତୁମେ
ହୋଇଥିଲ ଆଗୁସାର
ସଦା ସଚେତନ ଜାଗ୍ରତ ପ୍ରହରୀ
ଥିଲ ଏହି ଉତ୍କଳର ୲୲

ଉତ୍କଳ ମାଟିର ଥିଲ ତୁମେ ଗାନ୍ଧୀ
ସ୍ଵାଧୀନ ଚିନ୍ତା ଚେତନ
ସ୍ଵାଧୀନତା ପାଇଁ ଉତ୍କଳୀୟ ପ୍ରାଣେ
ଭରିଥିଲ ଦିଗ୍ଦର୍ଶନ ୲୲

ଉତ୍କଳ ଆକାଶେ ଜ୍ୟୋତି ସମ ଚିର
ଝଟକୁଥିବ ହେ ବୀର
ତୁମ ଜନ୍ମଦିନେ ପୟରେ ଜଣାଉ
ଶତ କୋଟି ନମସ୍କାର ୲୲


ରଚନା : ସଂଯୁକ୍ତା ରାଉତ

ଠିକଣା : ଜୟପୁର , କୋରାପୁଟ ଫୋନ ନମ୍ବର :