■ଦେବୀ ମନ୍ଦିରରେ ଗୋଟିଏ ରାତି■

ସେ ଆସୁଛି
ଲେଲିହାନ ନିଆଁ ଖଣ୍ଡେ କପାଳରେ ଭରି..!
କରୁଣାର ଆହାକାର ଫିଙ୍ଗିଦେଇ ଝର୍କା ଆରପାରି..!
ମଣିଷ ମୁହଁରେ
ଜଲ୍ହାଦର ନୂଆ ରୂପ ଧରି..!!

ସେ ଆସିଲେ ଛିନ୍ନମସ୍ତା ହେବେ
ଦୁର୍ବଳ ଇଛା ସମୂହ
କାମନା'ର ତୀକ୍ଷ୍ଣ ଖଡ୍ଗ ଧାରେ..!
ଗୁମୁରି କାନ୍ଦିବେ ପାରା
ଅନ୍ଧକାର ଗମ୍ଭୀରା ଭିତରେ..!!

ରାତି ବଢିଲେ ତାତି ବଢିବ
ଆଉ ବଢିଯିବ ତୁମ ଆଖି ଶୋଷ..!
ଆଃ..
ଏବେ ଘମାଘୋଟ ଯୁଦ୍ଧ ଦେହ ଆଉ ଦାହ
ବଞ୍ଚିବାକୁ ତମାମ୍ ସଂଘର୍ଷ..!!

ସେ ଚିତ୍କାର ଛାଡୁଥିଲା କି ଫୁତ୍କାର
କିଏ ଜାଣେ..!?
କିନ୍ତୁ
ମନ୍ତ୍ରଧ୍ୱନୀ ଘଣ୍ଟ ଘଣ୍ଟାରେ ତ ନିଷ୍ପ୍ରଭ ହେଉଥିଲା ରାତି
ବାସ୍ନାୟିତ ଝୁଣା ଧୂପରେ କୁରୁଳୁଥିଲା
ବିଚରା ଅସହାୟ ଛେଳିଟିର ଛାତି..!

ଏବେ
ଆଉ ଟିକେ ଗାଢ୍ ହେଉଥିଲା ରାତି
ଆଉ କ୍ଷୀଣ ହେଉଥିଲା ଜହ୍ନର ନିଶ୍ୱାସ..!!

ହେଲେ ତୁମର କି ଯାଏ ଆସେ
କାହା କ୍ରନ୍ଦନରେ..!?
ତୁମ ଓଠତ ବତୁରୁଥିବ
କଟା ମୁଣ୍ଡ ଲାଲ୍ ରକତରେ
ନୃସଂଶତା ନିଲାମ୍ ଚିଠାରେ..!!

ଏ ଘର ଚଳୁ କି ନ'ଚଳୁ
ତୁମ ଫସଲ ତ ହସୁଥିବ ଗଣମାଧ୍ୟମରେ
ଫେସବୁକ୍ , ଟ୍ୟୁଟର , ହ୍ୱାଟ୍ସଅପ ଆଉ
ଟିଭି ପରଦାରେ..!!

ମୁଁ ଜାଣେ
ଦେବୀଟେ କେବେ ଖୋଲେନି ଜିଭ
ଚାଖିବାକୁ
ନିରୀହ ର ରକ୍ତ ଅବା ଛନଛନିଆ ମାଂସ..!?
ଏ ନିଷ୍ପତି ଥିଲା ତୁମର
ନିଷ୍ପେଶିତ ହେଲେ କେହି
ପୂର୍ଣ୍ଣ ହେବ ବୋଲି ତୁମ ରାତି ଅଭିଳାଷ..!?

ସେଲାଗିତ
ନିତିଦିନ ଦେବୀ ମନ୍ଦିରରେ
ଦେବୀଟିଏ ଦେଉଥିଲା ଝାସ..!!

ଇଏ କି ଈଶ୍ଵରୀୟ ବାକ୍ୟ..!?
ନା ମୃତ୍ୟୁର ଭିନ୍ନ ଅଭିଶାପ..!?
ନିରୁତ୍ତର ଥିଲା ପରିବେଶ..!
ଆଉ ଦେବୀ ମନ୍ଦିରର ରାତିଟି
ମୋ ହୃଦୟେ ଛାଡି ଯାଉଥିଲା ବଳକା
ଶେଷ ଅବଶେଷ..!!

■■■■■
ଶିବ ଚରଣ ମହାପାତ୍ର
ଚକ୍ରଧରପୁର:କେନ୍ଦୁଝର


ରଚନା : ଶିବ ଚରଣ ମହାପାତ୍ର

ଠିକଣା : ଚକ୍ରଧରପୁର, କେନ୍ଦୁଝର ଦୂରଭାଷ : 7008415245