॥ ଜହ୍ନ ରେ ଲେଖୁଛି।।
--------- --- --------
ଜହ୍ନରେ ଲେଖୁଛି ସାଧା କାଗଜ ଟେ ଭାବି
ସ୍ମୃତିର କଲମ ଧରି ।
ଲୁହର ଦୁଆତେ ବୁଡାଇ ଆଣୁଛି
ଯେବେ, ପ୍ରେମ ରଙ୍ଗ ଗଲା ସରି ॥

ପ୍ରତାରଣା ତାଲା ତୁମେ ପକେଇଛ
ସପନ ଦୁଆରେ ମୋର ।
ଘୃଣ୍ୟର ନିଆଁ ରେ ଜଳାଇ ଦେଇଛ
ମୋ ସୁନେଲି ନିଦ୍ରା ର ଘର ॥

ହୃଦୟ ରେ ଗଢି ମାଟି କଣ୍ଢେଇ ଟେ
ଆଣିଥିଲି ତୁମ ପାଇଁ ।
ଭାଙ୍ଗି ଦେଲ ତୁମେ ଖେଳନା ଟେ ଭାବି
ବୁଝିବି ପାରିଲ ନାହିଁ ॥

ବିଶ୍ଵାସରେ ମୋର ଛଳନା ଭରିଲ
ପ୍ରେମର ନାଟକ ଧରି ।
ପ୍ରେମିକା ଟେ ସାଜି ଅଭିନୟ କଲ
ଆଜି, ଭୁଲିଗଲ ପର କରି ॥

ଜୀବନ ରାସ୍ତାରେ ତୁମ ହାତ ଧରି
ସାଥି ହୋଇ ଚାଲୁଥିଲି ।
ସ୍ଵାର୍ଥପର ପରି ଛାଡ଼ି ଚାଲିଯିବ
କେବେ ମୁଁ ଭାବି ନଥିଲି ॥

ଦସ୍ତାବିତ୍ ମୋର ସ୍ପନ୍ଦନ କାନ୍ଦୁଛି
ପ୍ରେମ ମରିଚୀକା ସାଜି।
ତୁମେ ଦେଇଥିବା ସ୍ମୃତିର ଗୋଲାପ
ଝାଉଁଳି ପଡ଼ିଛି ଆଜି ॥

ଜହ୍ନରେ ଲେଖୁଛି କବିଟିଏ ହୋଇ
ମୋ ମନ ପ୍ରେମ ଯନ୍ତ୍ରଣା ।
ସମୟ ଆସିବ , ତୁମେ ଖୋଜୁଥିବ
ସେବେ , ହୋଇବ ମୋ ବାଟବଣା ॥

----------- O-------------
କବି- ଆଶ୍ରିତ୍ ମହାପାତ୍ର
ଗ୍ରାମ- ଟାଙ୍ଗି, ଜିଲ୍ଲା- ଖୋର୍ଦ୍ଧା
ମୋ. -୮୨୪୯୪୪୦୪୫୫

ରଚନା : ଆଶ୍ରିତ୍ ମହାପାତ୍ର

ଠିକଣା : ଗ୍ରାମ- ଟାଙ୍ଗି, ଜିଲ୍ଲା-6ଖାର୍ଦ୍ଧା ଫୋନ ନମ୍ବର : ୮୨୪୯୪୪୦୪୫୫