ଶୈଶବର ମୋହ
ରମେଶ ଚନ୍ଦ୍ର ମିଶ୍ର
--------------------
ଶୈଶବର ମୋହ ସତେ କେତେ ମଜଭୁତ୍
ତାହା କ'ଣ କହିହୁଏ ଭାଷାରେ, ଶବ୍ଦରେ
ସୁନ୍ଦର ସେ ଆକର୍ଷଣ, ଚିତ୍ତଚୋରା ଅନୁଭବ
ଶକ୍ତି ନାହିଁ ଲେଖିବାକୁ କବି କଲମରେ ।

ତା' କୋଳରେ କାଟିଥିବା
ଶୈଶବର ଦିନମାନେ
ଖେଳୁଥାନ୍ତି ମନତଳେ
ଆକ୍ବାରିୟମ୍ ର ମନଲୋଭା
ରଙ୍ଗୀନ୍ ମାଛସବୁ ପରି
ଶୈଶବ, ପୌଗଣ୍ଡର ସ୍ମୃତିମାନେ
କେବେକେବେ ଉଡୁଥାନ୍ତି ବିଚିତ୍ରବର୍ଣ୍ଣା
ପ୍ରଜାପତି ପରି ।

ବନ୍ସୀରେ ମାଛଧରା, ଓଳିତଳେ କାଗଜ ଡଙ୍ଗା, ଡାଳମାଙ୍କୁଡି, ଦୋଳିଖେଳ,
ଲୁଚ୍ ଲୁଚାଣି, ଧୂଳି ବାହାଘର,
ଶିଳାଲେଖ ପରି
ଆଙ୍କିହୋଇ ରହିଥାଏ
ମନ କାନ୍ ଭାସ୍ ରେ ସବୁଦିନ ପାଇଁ
ସଜାଇ ହୋଇଯାଏ ଜୀବନ-ଇତିହାସରେ
ଅଲିଭା ଅକ୍ଷର ।

ବାପାଙ୍କ ଆକଟ ପୁଣି ମାଆର ଆଶ୍ବାସ
ସାଇ ସାଙ୍ଗସାଥିମେଳେ ହରଡ ଡହଣି
ଜହ୍ନ ରାତିରେ ବାଦାମ ଚୋରୀ,
ବୋହୂଚୋରୀ ଖେଳ
ମୂଷଳ ବର୍ଷଣ ରାତିରେ ମନେପଡେ
ବିଲମାଳେ ମାଛଧରାର
ଦୁର୍ଦ୍ଦଷ କାହାଣୀ ।

ସେତେବେଳେ ଶୁକ୍ଳକେଶ ବୃଦ୍ଧ ସବୁ
ଅଜା ହୋଇଯା'ନ୍ତି
ରାତି ଅନ୍ଧାରର ବୁକୁଚିରି
କେବେକେବେ ଆଈମା' କାହାଣୀର
ବ୍ରହ୍ମରାକ୍ଷସମାନେ
ଆମ ଘର ଦାଣ୍ଡବାରଣ୍ଡାରେ
ବିକଟ ଚିତ୍କାର କରନ୍ତି ।

ସେଇ ଦିନମାନଙ୍କରେ ମାମୁ ଘର ଯାତ୍ରାଠାରୁ
ଆଉ କ'ଣ ଅଧିକ ଆନନ୍ଦଦାୟୀ ଯେ !
ଆଈଠାରୁ ଆଉ କିଏ ଏତେ ଆପଣାର ?
ଢଳଢଳ ଛଳଛଳ ଭାବର ଧାରାରେ
ବହିଯାଉଥିବାବେଳେ ଦିନମାନେ
ଆଉ କ'ଣ ହେବେ ଏତେ ସୁସ୍ବାଦୁ,
ମଞ୍ଜୁଳ, ମଧୁର ?

ଏ ମୋହର ଏମିତି ଅଦ୍ଭୁତ ଶକ୍ତି
ମହମହ ବାସିଯାଏ, ଅଦ୍ଭୁତ ସୁବାସେ
ଆଉ ଫେରି ନପାଇବା ବ୍ୟର୍ଥତାରେ ପୁଣି
ଛାତି ହୁଏ ବରଫ ଶୀତଳ
ଅସାଡ କରିପକାଏ ଚିନ୍ତା ଓ ଚେତନା,
ମନ ପ୍ରାଣ ଭରିଉଠେ ତପ୍ତ ଦୀର୍ଘଶ୍ବାସେ ।
   ତାପସ କୁଟୀର, ବଇଣ୍ଡା, ଅନୁଗୋଳ ।
    ମୋ- ୯୪୩୮୪୮୧୧୩୬




ରଚନା : ରମେଶ ଚନ୍ଦ୍ର ମିଶ୍ର

ଠିକଣା : ସମ୍ପାଦକ, ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡା, ଅନୁଗୋଳ । ଫୋନ ନମ୍ବର : ୯୪୩୮୪୮୧୧୩୬