ଆଶୀର୍ବାଦ ଦେବେ ନାଥ
                ବି.ନିରୁପମା

ମାନବ ଜୀବନ ନୁହଁଇ କେବଳ
ନିଜ ସୁଖ ସାଧିବାକୁ ,
ଆନ ହିତ ଲାଗି କରିଯିବା କିଛି
ପୁଣ୍ୟଧନ ଲଭିବାକୁ ।

ସ୍ନେହ, ପ୍ରେମ, ଦୟା, କରୁଣା, ମମତା
ମାନବ ଅନ୍ତରେ ଭରି ,
ଏ ସୃଷ୍ଟି ମଧ୍ୟରେ ଶ୍ରେଷ୍ଠ ଜୀଵ ରୂପେ
ଜନ୍ମ ଦେଇଛନ୍ତି ହରି ।

ସୂର୍ଯ୍ୟ, ଚନ୍ଦ୍ର,ତାରା, ଆକାଶ,ପବନ
ସସାଗରା ବନ-ଭୂଇଁ ,
କେଡ଼େ କଉଶଳେ ସେ ସର୍ଵ ନିୟନ୍ତା
ଗଢ଼ିଛନ୍ତି ଆମପାଇଁ ।

ପ୍ରତିଦାନ ଆଶା ନ ରଖି ପ୍ରକୃତି 
ଦିଏ ଜଳବାୟୁ ନିତି ,
ତାହା ବିନା କୁହ ଦଣ୍ଡେ ବା ନିମିଷେ
କାହାର କି ପାରେ ବିତି !!

ଯେତେ ବୁଦ୍ଧି, ଜ୍ଞାନ-ବିଜ୍ଞାନରେ ପୂର୍ଣ୍ଣ
ହେଲେ ବି ମାନବ ଆଜି ,
ଏହି ସବୁ ଗ୍ରହ,ନକ୍ଷତ୍ର, ପବନ
ପାରିବ କି କେବେ ସୃଜି !!

ଜନନୀ ଜଠରୁ ଜନମିଲା ପରେ
ଅନ୍ତିମ ନିଃଶ୍ବାସ ଯାଏ ,
ପ୍ରତ୍ୟକ୍ଷ-ପରୋକ୍ଷ ଭାବେ ଏ ମାନବ
ଆନଠାରେ ଋଣୀ ହୁଏ ।

ତେଣୁ ଏ କଥାକୁ ମନେ ହେଜି ଆମେ
କିଞ୍ଚିତ ଜାଗ୍ରତ ହେବା ,
ସେହି ଋଣଭାର ଲାଘବ ସକାଶେ
କିଛି ପ୍ରତିଦାନ ଦେବା ।

ନିଜ ସୁଖ ସାଥେ କରିବା ସରବେ
ଏଇ ଦେଶ-ଦଶ ହିତ ,
ସାର୍ଥକ ହୋଇବ ମାନବ ଜୀବନ
ଆଶୀର୍ବାଦ ଦେବେ ନାଥ ।

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।