ଧନରେ !!
ଏ ଦୁନିଆରେ
ତୁ ହବୁ ସବୁଠୁ ନିଆରା
ଏ ସ୍ଵପ୍ନ ଦେଖିବାରୁ ନିଜକୁ
ଅଟକେଇ ପାରେନି ମୁଁ
କହିଲୁ !
କୋଉ ମା ନ ଚାହେଁ ତା ପୁଅ
ଜଗତଜିତା ହେଉ
ଏ ପୃଥିବୀର ଦୁଃଖ ବୁଝୁ
ମୁଁ ହିଁ ତ ସେଇ ମା
ତା ଠୁଁ ଅଲଗା କେମିତି ହେବିରେ
ହେଲେ ଚାରିକାନ୍ଥର
କୋଠରୀ ଭିତରେ ହଜିଯାଉଛି
ତୋର ଅମୂଲ୍ୟ ଶୈଶବ
ମୁଁ ଚାହେଁ ପ୍ରଜପତି ସହ ତୁ ଖେଳ୍
ଫୁଲର ସୁଗନ୍ଧିକୁ ମନଭରି
ଆଘ୍ରାଣ କର୍
ଘାସର ଗାଲିଚା ଉପରେ
ଚିକ୍ ମିକ୍ କରୁଥିବା କାକର ବିନ୍ଦୁରେ
ତୋ ପ୍ରତିଛବି ଦେଖ୍
ପ୍ରଶ୍ନକର ମୋତେ
ତୋ ଚପଳ ମନରେ।
ମୁଁ ଚାହେଁ
ତୁ ମନଭରି ଖେଳ୍
ସେଇ ଘାସ ପଡିଆରେ
ତୋ ସାଂଗ ସାଥୀ ମେଳରେ
ଗଡ ବାଲିର ଆସ୍ତରଣ ଭିତରେ
ଘାଣ୍ଟି ବି ହୋ କାଦୁଅ ପଙ୍କରେ
ହାରିବା, ଜିତିବା, କଥା କଟାକଟି
ରାଗ, ରୁଷା, ଅଭିମାନ ସବୁକିଛି ବୁଝ୍ ଏବେଠୁ ବୁଝିଲେ ସିନା
ଜୀବନକୁ ବୁଝିବୁ ତୁ ।
ମୁଁ ଚାହେଁ ତୁ ଆକାଶକୁ ଚାହାଁ
ବଉଦର ପ୍ରାଣସ୍ପର୍ଶୀ ରୂପକୁ
ଅନୁଭବ କର
ପ୍ରକୃତିର ଏଇ ଚମତ୍କାରିତା
ତୋର ଚପଳ ମନରେ ଆଙ୍କିଦେଉ
ଅନେକ୍ ପ୍ରଶ୍ନବାଚୀ।
ମୁଁ ଚାହେଁ ତୁ ଅନ୍ଧକାର ଆକାଶର
ଝିଲ୍ ମିଲ୍ ତାରାକୁ ଦେଖ୍
ତୋଫା ଜହ୍ନର ହସ
ଭିତରେ ହଜିଯା..........
ମୁଁ କେବେ ଚାହେଁନା
"ପାଠ"ନାମକ
ଦୁଇଟି ଶବ୍ଦ ଭିତରେ
ହଜିଯାଉ ତୋର
ବାଲ୍ଯ ଓ କୈଶୋର
ହଁ ଏହାବି ସତ୍ୟ
ମୁଁ କେବେବି ଚାହିଁବନି
ଅଜ୍ଞାନତାର ଅନ୍ଧକାର ଭିତରେ ନିଜକୁ ହଜେଇଦେ ତୁ
କାହାକୁ ବି ଛାଡେନା
ନା ପାଠର ମର୍ମଭେଦୀ ବିଶ୍ବାସ
ନା ପ୍ରକୃତିର ଅନାବିଳ କୋଳ
ତା ଭିତରେ ତୋ ପାଇଁ ସାଇତା
କେତେ ହସ କେତେ ଲୁହ.....
ଏବେଠୁ ବୁଝିଗଲେ
ଠିକ୍ ଜୀବନକୁ ବୁଝିଯିବୁ ତୁ ।
ଏବେଠୁ ନବୁଝିଲେ
କେବେ ବୁଝିପାରିବୁନି
ଜଡ ଓ ଜୀବନର ସମ୍ବନ୍ଧକୁ
ପ୍ରକୃତିକୁ ନବୁଝି
କଳଗାଉଣା ପରି ପାଠ ଘୋଷି
କେହି ଜୀବନକୁ ବୁଝିଛି ଆଜିଯାଏ...
ସେଥିପାଇଁ ମୁଁ ଚାହେଁ
ପାଠ କମ୍ ପ୍ରକୃତିକୁ ବେଶି ବୁଝ୍
ଏ ପ୍ରକୃତି ଭିତରେ ଯେ
ଅସରନ୍ତି ପାଠ
ସେ ପାଠ ବହିରେ ନାହିଁରେ
ବହିରେ ପାଠ ଅଛି ସତ
ହେଲେ ଜୀବନ ନାହିଁରେ ।।

Writer's Details: ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)
ଓରାଳି,ହାଟଡିହି,କେନ୍ଦୁଝର ।।