ସ୍ବାଧୀନ ଦେଶର ସ୍ବାଧୀନ ମଣିଷ
ମଥା ଉଚ୍ଚ କରି କହିବାକୁ ମୋତେ ଲାଜଲାଗେ
ପଥଧାରେ ବସି ନିଃସ୍ବ ମଣିଷ
ପେଟକୁ ବାଡେଇ କେଡେ ବିକଳରେ ଭିକ୍ଷାମାଗେ । ୧

ବିଜ୍ଞାନବଳେ ମଙ୍ଗଳଗ୍ରହେ ଆଜି
ଯେଉଁ ଦେଶ ଜ୍ଞାନୀ ସ୍ବପ୍ନ ଦେଖଇ ରହିବାକୁ
ସେହି ଦେଶ ଚାଷୀ ବିସର୍ଜେ ଜୀବନ
ବିଷ ପାନକରି ଋଣଭାରୁ ମୁକ୍ତ ହୋଇବାକୁ । ୨

ଦୁର୍ଗା, ମଙ୍ଗଳା, ସରସ୍ବତୀ, ଲକ୍ଷ୍ମୀ,
ମହାକାଳୀ ଆଦି ମାତୃଜାତିର ପୂଜା ହୁଏ
ସେହି ଦେଶେ ସ୍ପଷ୍ଟ ଦିବାଲୋକ ତଳେ
ପଥଧାରେ ମାତୃସମା ଅବଳା ଅତ୍ୟାଚାରିତା ହୁଏ । ୩

ସ୍ବାଧୀନତା ମଧୁ ଚାଖିବାପାଇଁକି
ଆଇନ୍ କାନୁନ୍ ସମ୍ବିଧାନରେ ହୋଇଛି ଲେଖା
ଆଇନ୍ ସହିତ ଭୋଜବାଜି ଖେଳେ ଧନୀ
ନିଷ୍ପେସିତ ହୋଇ ଗରିବ ବିଚରା ଛାଡଇ ଡକା । ୪

ନିର୍ବାଚନରେ ଗଣତନ୍ତ୍ରକୁ ହତ୍ୟା
କରେ ପ୍ରତିନିଧି ମଦ ମାଂସ ଓ ଟଙ୍କାବିଡାକୁ ଯାଚି
ମୂର୍ଖ ଜନତା ସାମୟିକ ସୁଖେ ଭୋଳ
ବୁଝେନାହିଁ ତା'ର ଭବିଷ୍ୟତ ହୁଏ ଦଳି ମକଚି । ୫

ସେଦିନ ଲୁଟିଲେ ଇଂରେଜ ଜାତି,
ଆଜି ଲୁଟୁଛନ୍ତି ଆମ ନିଜ ଜ୍ଞାତି ସହୋଦର,
କେମିତି କହିବା ପରାଧୀନୁ ଆମେ ମୁକ୍ତ
ଆପଣା ମଣିଷ ଦୁଃଖ ଦାଉରେ ହେଉଛନ୍ତି ହରବର ।୬

ମଦ, ନାରୀ, ଟଙ୍କା ଲାଳସା ଯେଦିନ
ଆମ ମନତଳୁ ସମୂଳେ ଯିବରେ ଦୂରେଇଯିବ
ସେଦିନ ଏ ଦେଶେ ସ୍ବାଧୀନ-ସୂର୍ଯ୍ୟ
ପୂରୁବ ଆକାଶୁ ସିନ୍ଦୁରା ଫାଟି ଉଇଁଆସିବ । ୭

ଭାଇ-ଭାଇ ଭାବ ଖେଳିବ ମନରେ
ଦୁଃଖ ସୁଖ ସବୁ ବାଣ୍ଟିବା ନେଇ ଆପଣା ପଣ
ଧନୀ ଗରିବର ପ୍ରାଚୀର ହଟିବ
ସାମ୍ୟ ପତାକା ଉଡାଇ ଆମେରେ ହେବା ସ୍ବାଧୀନ । ୮

Writer's Details: ରମେଶ ଚନ୍ଦ୍ର ମିଶ୍ର,
ତାପସ କୁଟୀର, ବଇଣ୍ଡା, ଅନୁଗୋଳ । ମୋ- ୯୪୩୮୪୮୧୧୩୬
Content Category:
Submission Date: Aug 14, 2019