ସ୍ବପ୍ନ ଆସି କେତେବେଳେ
ଲହଡି ଯେ ଭାଙ୍ଗେ
ଶୁଷ୍କ ମୋର ଆଖିପତା ତଳେ
ଢଳ ଢଳ ଲୁହ ବିନ୍ଦୁ ହୋଇ,
ମନ ବେଳାଭୂମି ପରେ
ସିଞ୍ଚିଦେଇପ୍ରେମ ବାରି 
ଆସେ ପୁଣି ମୋ ମନରେ
ଅସରନ୍ତି ଆଶା ଭରିଦେଇ ।
କେବେ ପୁଣି
ମନ୍ଦ ମଳୟ ହୋଇ
ଛୁଇଁ ଯାଏ ହୃଦୟକୁ
ଆନମନା କରି ।
ହେଲେ କାହିଁକି ଯେ ଆସେ ସିଏ
ବାରମ୍ବାର ଫେରି ପୁଣି
ବୁଝିପାରେନାହିଁ
ନିରାଶାରେ ଆଶା ଦୀପ ଜାଳି  ।
ସତରେ ସେ
କେତେ ଭଲ ପାଏ !!!
ଛୁଇଁଦେଲେ ସିଏ ଥରେ
ଜୀବନ୍ୟାସ ସତେ ପାଇଯାଏ
ମୃତ ମୋର  ଚେତନାରେ
କବିତାର ଅପରୂପ
ଛନ୍ଦ ତୋଲିଦିଏ ।
ମୋ ଅଜାଣତେ
ତାକୁ କହୁଥାଏ
ରେ ସ୍ବପ୍ନ ପାରିବିନି
ତୋତେ ପୁରାକରି
କାହିଁକି ଆସୁଚୁରେ ବାରମ୍ବାର
ମନେ ଆଶା ଭରି।
ଯା ଯା ଫେରି
ହେଲେ ଦେବୁନାହିଁ
ମତେ ପରକରି
ଏ ଜନ୍ମରେ ପାରିଲିନି ସିନା
ଅପେକ୍ଷା କରିବୁ ନିଶ୍ଚେ
ଆରଜନ୍ମେ ଦେବି ପୁରାକରି  ।।

Writer's Details: ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)
ଓରାଳି, ହାଟଡିହି, କେନ୍ଦୁଝର ।
Content Category:
Submission Date: Aug 06, 2019