ସ୍କୁଲ ଫେରନ୍ତା ପୁଅ ଉଲ୍ଲସିତହୋଇ କହିଲା- ଜାଣିଛ ବାପା, ଆଜି ଆମେ ସ୍କୁଲରେ ଗାନ୍ଧୀଙ୍କ ତିନି ମାଙ୍କଡପରି ଆଚରଣ କଲୁ । 

"ସତରେ ?'' ଚକିତ ପିତା ସସ୍ନେହରେ ପୁଅର ମୁଣ୍ଡ ଆଉଁସିଦେଇ ପଚାରିଲେ ।
"କିପରି ?''
ପୁଅ ତା ସ୍କୁଲର ଘଟଣା ବର୍ଣ୍ଣନା କଲା -
"ଖେଳଛୁଟି ସମୟରେ ଆମେ ସ୍କୁଲ୍ ପଛପଟ ପଡିଆରେ ଖେଳୁଥିଲୁ । ଠିକ୍ ସେତିକିବେଳେ ସନ୍ଦୀପ୍ ଓ ରାଜୁ ମଧ୍ୟରେ ସାମାନ୍ୟ ଯୁକ୍ତିତର୍କ ହେଲା । ଆମ ଘରକୁ ଆସୁଥିବା ମୋ ସାଙ୍ଗ ସନ୍ଦୀପକୁ ତ ତମେ ଦେଖିଛ ବାପା । କେତେ ପତଳା ଓ ଦୁର୍ବଳ ସିଏ । ରାଜୁ କିନ୍ତୁ ଆମ ସ୍କୁଲର ସବୁଠୁ ବଳୁଆ ଓ ତାଗଡା ପିଲା । ପହିଲ୍ ମାନ ପରି ଚେହେରା । ରାଜୁ ସନ୍ଦୀପ୍ ଉପରେ ରାଗିଯାଇ ମାଡ ମାରିଲା । ରାଜୁ ସବୁବେଳେ ସେମିତି । ଟିକିଏ ଟିକିଏ କଥାରେ ରାଗିଯାଇ ମାର୍ ଧର୍ କରେ । ଶ୍ରେଣୀରେ ତାକୁ ସମସ୍ତେ ଡରନ୍ତି । ତେବେ ରାଜୁ ସନ୍ଦୀପ୍ କୁ ମାଡମାରିବା ଦେଖି ଆମେ ସମସ୍ତେ ଜାଣିଗଲୁ, ଇଏ ହେଇଛି ଖରାପ କଥା । ଗାନ୍ଧୀ ମାଙ୍କଡ ତ କହିଛନ୍ତି ,ଖରାପ କଥା ଦେଖିବ ନାହିଁ । ତେଣୁ ଆମେ ସଙ୍ଗେ ସଙ୍ଗେ ସେ ସ୍ଥାନ ଛାଡି ଚାଲିଆସିଲୁ । ଏଇ ସମୟରେ ସ୍କୁଲ ଘଣ୍ଟା ବାଜିଲା । ଆମେ ସବୁ ଶ୍ରେଣୀରେ ବସିଲୁ ।ମାଡ ଖାଇଥିବା ସନ୍ଦୀପ୍ ଶ୍ରେଣୀରେ ଶିକ୍ଷକଙ୍କୁ ଅଭିଯୋଗ କଲା-ରାଜୁ ତାକୁ ମାଡ ମାରିଛି,ଯାହାକି ଶ୍ରେଣୀର ସମସ୍ତ ପିଲା ଦେଖିଛନ୍ତି ।ସାର୍ ଆମକୁ ଜଣ ଜଣ କରି ପଚାରିଲେ । କାହା ବିରୋଧରେ କହିବା ଗୋଟାଏ ଖରାପ କଥା । ଗାନ୍ଧୀ ମାଙ୍କଡ ତ ମନା କରିଛନ୍ତି, ଖରାପ କଥା କହିବନି । ତେଣୁ ଆମେ ସମସ୍ତେ ମନା କଲୁ । ରାଜୁ ନାଁରେ ମିଛରେ କହୁଛି ବୋଲି ଶିକ୍ଷକ ରାଗିଯାଇ ସନ୍ଦୀପ୍ କୁ ଗାଳିଗୁଲଜ କଲେ । ଗାଳିଗୁଲଜ କରିବାବି ତ ଗୋଟିଏ ଖରାପ କଥା । ଗାନ୍ଧୀ ମାଙ୍କଡ ଏକଥା ବି ତ କହିଛନ୍ତି , ଖରାପ କଥା କେବେ ଶୁଣିବନି । ତେଣୁ ଆମେ କାନ ବନ୍ଦ କରିଦେଲୁ ।'' ବାପାଙ୍କ ଗଳାରେ ହାତ ଛନ୍ଦିଦେଇ ତାଙ୍କ ଉପରେ ଖୁସିରେ ଲୋଟି ପଡିଲା ପୁଅ ।



Writer's Details: ଘନଶ୍ୟାମ ମହାନ୍ତ,କରଦାଙ୍ଗୀ,ତେଲକୋଇ,କେନ୍ଦୁଝର
Content Category:
Submission Date: Aug 14, 2019