ଅର୍ଥର ପାହାଡ଼ ଉପରେ ଠିଆ ହୋଇ
କେହି କେବେ
ଜୀବନକୁ ଦେଖିପାରେନି
ଜୀବନଟା ଶ୍ରଦ୍ଧାର ସମତଳ ଭୂଇଁ
ଜୀବନ ଦେଖିବାକୁ ଚାହଁ ତ
ଓହ୍ଲେଇ ଆସ ତଲକୁ।
ଜୀବନର ନିବିଡ଼ ଆଶ୍ଳେଷକୁ
ଅନୁଭବ କର
ଜୀବନ ଅର୍ଥ ଚାହେଁନା
ସେ ଚାହେଁ ତମକୁ ।
ଆଉ ତମେ  ??
ତମେ ତାକୁ ଆଡ କରି
ଚାଲିଗଲା ବେଳେ
ସେ ବୁକୁ ଫଟେଇ କାନ୍ଦେ.......
ସେ କ୍ରନ୍ଦନ ଧ୍ବନି ହୁଏତ
ତମେ ଶୁଣିପାରନି
କାହିଁକି ଜାଣ  ??
ତମେ ଖୁବ୍ ଉଠିଯାଇଥାଅ
ଉପରକୁ  ।
ଆଉ ତମ ଦୃଷ୍ଟି ବି.....
ସେ ତମକୁ ବିକଳ ଭାବରେ ଚାହେଁ
ଆକୁଳ ହୋଇ ଡାକେ
ହେଲେ ତମେ  ???
ହରେଇ ବସିଥାଅ
ତମର ବୁଝିବା ଶକ୍ତିକୁ  ।
ତମେ ଭୂଲି ଗଲ କେମିତି  ???
ତମେ ପ୍ରଥମେ
ପାହାଚ ଚଢିଲା ବେଳେ
ସିଏ ପତେଇ ଦେଇଥିଲା
ତା'ର ପିଠି ,
ଆଜି ତମେ ଶେଷ ପାହାଚରେ
ହେଲେ ଦୁଃଖ ଏତିକି
ତମେ ଭୂଲିଯାଇଛ
ସେଇ ପିଠି
ଭୂଲି ବି ଯାଇଛ ମାଟି ।।

Writer's Details: ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)
ଓରାଳି, ହାଟଡିହି, କେନ୍ଦୁଝର ।।
Content Category:
Submission Date: Jul 19, 2019