ଦୁଇ କୋଳ ଜହ୍ନ ବିଶ୍ଵ ମୋହନ
ବିଧିର ଏ ଯେ ବିଧାନ
ଦେବକୀ ଗରଭୂ ଜନମ ଲଭିଲ
ଯଶୋଦାଙ୍କ ଗଣ୍ଠିଧନ ।
ପାପର ଭାରକୁ ଲାଘବ କରିକି
ଦୁଷ୍ଟ ବିନାଶ ପାଇ
କୃଷ୍ଣ ଅବତାରେ ଆସିଲ ପ୍ରଭୁହେ
ଅଷ୍ଟମ ସନ୍ତାନ ହୋଇ।
ଆଖିର ଲୁହରେ ଦେବକୀ ସେଦିନ
ଦେଇଥିଲା ବିଦାୟ
ମାମୁଁ ହୋଇ ପାପୀ ଶତ୍ରୁ ସାଜିଲା
ରୁକ୍ଷ ହେଲା ହୃଦୟ ।
ଗୋପୀଜନ ସଂଗେ ଭାବ ଲଗାଇଲ
ଗୋପାଳ ବାଳକ ହୋଇ
କେତେ ଦହିହାଣ୍ଡି ଭାଙ୍ଗିଲ ଗୋପୀଙ୍କ
ନଟଖଟି ରୂପ ନେଇ ।
ଲାଞ୍ଚ ମାଗୁଥିଲ ଯଶୋଦା ମା'ଙ୍କୁ
ଲହୁଣି ଖାଇବା ପାଇଁ
ବିରହ ବେଦନା ସହୁଥିଲେ କେତେ
ପ୍ରାଣପ୍ରିୟା ତୁମ ରାଇ ।
ସେଇ ଭାଦ୍ରବ ର କୃଷ୍ଣ ଅଷ୍ଟମୀ
ରହିଲା ଅଭୂଲା ହୋଇ
ମର୍ତ୍ତ୍ୟଧାମେ ଆଜି ଆନନ୍ଦ ଲହରୀ
ତୁମକୁ ପାଇବା ପାଇଁ ।
ପାପର ଭାରରେ ବିଶ୍ବ ଅତିଷ୍ଟ
ଡାକୁଛି ତ୍ରାହି ତ୍ରାହି
ଆଉଥରେ ଜନ୍ମ ନିଅ ନଟବର
ଦୁଷ୍ଟ ସଂହାର ପାଇଁ ।

Writer's Details: ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)
ଓରାଳି, ହାଟଡିହି, କେନ୍ଦୁଝର ।
Content Category:
Submission Date: Aug 23, 2019