ଅଷ୍ଟ ମାସ ରୌଦ୍ର ଉତ୍ତାପେ ତାପିତ 
ହାହାକାର ସର୍ବ ପ୍ରାଣ
ଚାତକ ପରାୟେ ଚାହିଁ ରହିଥିଲେ
ବରଷାର ଆଗମନ ୲୲

ମୌସୁମୀ ଆସିଲା ବରଷାକୁ ଘେନି
ପହିଲି ଆଷାଢ଼ ସ୍ପର୍ଶେ
ଭିଜା ଭିଜା ମାଟି ମହକେ ବିଭୋର
ପ୍ରାଣୀକୁଳ ମନ ହସେ ୲୲

ଆଷାଢ଼ର ଅନ୍ତେ ଶ୍ରାବଣ ଆସିଲା
ସଙ୍ଗେ ନେଇ ମେଘମାଳ
ଅପରୂପ ଶୋଭା ବିଚିତ୍ର ସେ କାନ୍ତି
ଖରା ବରଷାର ଖେଳ ୲୲

ବେଳେବେଳେ ସୂର୍ଯ୍ୟ ସୁନେଲି କିରଣ
ଏ ଧରାକୁ ଛୁଇଁ ଯାଏ
ପର ମୁହୂର୍ତ୍ତରେ ଅତର୍କିତ ଭାବେ
ବରଷା ଭିଜାଇ ଦିଏ ୲୲

ଆକାଶର ବୁକୁ ଭସା ବାଦଲର
ଶୋଭାରେ ଯେ' ଶୋଭାମୟ
ଦେଖି ପରିତୃପ୍ତ ଏ ଶୁଷ୍କ ଧରଣୀ
ହେବ ଆଜି ଜଳମୟ ୲୲

ବରଷାର ଧାରା ହୋଇବ ପ୍ଳାବନ
ଢ଼ାଳି ମୃତ୍ୟୁ ସଞ୍ଜିବନୀ
ଧୂସର ବକ୍ଷ ଯେ' ସବୁଜ ସୁନ୍ଦର
ଲେଖିବ ନୂଆ କାହାଣୀ ୲୲

କଳାମେଘ ଫାଙ୍କୁ ଚପଳା ଚମକେ
ଘଡଘଡି ମାରେ ରହି
ମେଘ ସବାରୀରେ ଫୁଲେଇ ବରଷା
ଆସେ ସଜବାଜ ହୋଇ ୲୲

ନଦୀ ପୁଷ୍କରିଣୀ ହେବେ ପୂର୍ଣ୍ଣଗର୍ଭା
ଝରଝର ବର୍ଷା ଧାରା
ଝାଉଁଳା ପାଦପ ନବ ପଲ୍ଲବରେ
ହେବ ସବୁଜିମା ଭରା ୲୲

ସାରୁ ବୁଦା ମୂଳୁ ମଣ୍ଡୁକର ଶୁଭେ
କେଁ କଟରର ଧ୍ଵନି
ସ୍ଵାଗତ ସଙ୍ଗୀତ ଭାସି ଆସେ ସତେ
ଆନନ୍ଦର ଫଲ୍ଗୁ ବୁଣି ୲୲

ଲାଲ୍ ଟୁକୁଟୁକୁ ସାଧବ ବୋହୂ ଯେ'
ମଖମଲି ପାଟ ପିନ୍ଧି
ତା' ରୂପ ଶୋଭାରେ ସବୁରି ମନକୁ
ନିଏ କ୍ଷଣିକରେ ବାନ୍ଧି ୲୲

ଜ୍ୟୋତିରିଙ୍ଗଣର ଜ୍ୟୋତିର ଆଭାରେ
ସନ୍ଧ୍ୟା ଯେ' ରୋଶଣି ଜାଳେ
ବିଭାବରୀ ଶାନ୍ତ ନିଶବ୍ଦ ପ୍ରହରେ
କେତେ ଯେ' ସପନ ତୋଳେ ୲୲

ନାଚ କରେ ଶିଖୀ ତା' ପୁଚ୍ଛ ମେଲେଇ
ଆନନ୍ଦେ ହୋଇ ବିଭୋର
କୁମୁଦିନୀ ହସେ ଭରା ସରସୀରେ
ଢଳି ଢଳି କି ସୁନ୍ଦର ୲୲

ପ୍ରକୃତି ରାଣୀର ରୂପ ସମ୍ଭାରର
ଶୋଭା ଯେ' ଅବର୍ଣ୍ଣନୀୟ
ଯୂଇ ଜାଇ ହେନା କେତକୀ ମାଳତୀ
କଦମ୍ବରେ ମଧୁମୟ ୲୲

ଧରମ କରମ ମାସଟି ଶ୍ରାବଣ
ଭକ୍ତଜନଙ୍କର ପ୍ରିୟ
ଶିବ ଉପାସକ ସ୍ମରଣେ ଈଶ୍ଵର
ଭକ୍ତି ଭାବରେ ତନ୍ମୟ ୲୲

ଚଷା ପୁଅ ମନ ଖୁସିରେ ଅଧିର
ମୁଖ ତା' ଉଜ୍ଜ୍ଵଳ ଦିଶେ
ମନ ମତାଣିଆ ରାଗିଣୀର ଛନ୍ଦେ
ଝୁମି ଝୁମି ନାଚି ହସେ ୲୲

ଲହୁ ଲୁହ ତା'ର କରି ଏକାକାର
ଦୁଃଖ ସହ ନିତି ଯୁଝି
ମାଟି ମାଆ ବୁକେ ଫଳାଏ ସୂବର୍ଣ୍ଣ
ଋଣ ତା' କେ ପାରେ ଶୁଝି ୲୲

ଶ୍ରାବଣରେ ଭିଜା ପ୍ରକୃତି ବିଭବେ
କବିପ୍ରାଣ ଆହ୍ଲାଦିତ
ରିମ୍ ଝିମ୍ ତାନେ ଶବ୍ଦର ଛନ୍ଦରେ
କଳ୍ପନାର ପ୍ରତିଭାତ ୲୲

ବରଷା ନ ଥିଲେ ଏ ସୁନ୍ଦର ସୃଷ୍ଟି
ଗତି ସ୍ଥିତି ବ୍ୟତିକ୍ରମ
ଋତୁ ଚକ୍ରର ଯେ ଋତୁ ମଧ୍ଯେ ଶ୍ରେଷ୍ଠ
ସୁଷମାରେ ଅନୁପମ ୲୲ 

Writer's Details: ସଂଯୁକ୍ତା ରାଉତ , ଶିକ୍ଷୟିତ୍ରୀ
ଜୟପୁର , କୋରାପୁଟ
Content Category:
Submission Date: Aug 23, 2019