ବିଜନ ବେଳାରେ ଆସ - ଶିବ ଚରଣ ମହାପାତ୍ର

0
ଚିରସ୍ରୋତା ବାୟୁ ଖରସ୍ରୋତ ବହେ
ଆୟୁଷ ଭାଙ୍ଗେ ଅଳସ
ଅନ୍ତିମ ପ୍ରହର ହେଲାଣି ଉଛୁର
ଆସ ନବଘନ ଆସ..

ମେଘ ବାଦଲର ଲୁଚକାଳି ଖେଳ
ଅନ୍ଧାର ଓଢଣୀ ତଳେ
ପରମ ପୁରୁଷ ଲୁଚି ଲୁଚି ଆସ
ଗୋପୀ ନେତ୍ର ଆଢୁଆଳେ..

ଏକାନ୍ତରେ ଆସି ଛୁଇଁ ଦେଇଯାଅ
ଅପବିତ୍ର ମନ ମୋର
ସେ ମୂହୁର୍ତ୍ତ ଠାରୁ ଶେଷ ପଥଯାଏଁ
କରିପାର ହତାଦର..

ଖୁବ୍ ମନା କଲି ମାନିଲାନି ମନ
ଉଜାଣି କାମନା ଢେଉ
ପହିଲି ଫଗୁଣ ମୃଦୁ ସମୀରଣେ
ମଧୂରେ ବୁଣିଲା କୁହୁ..

ଢେଉଢେଉକା ମୋ ଜୀବନ ନଉକା
ପାହାନ୍ତି ପ୍ରହରେ ଠିଆ
କୂଳ କି କିନାରା ପାଏ ନାହିଁ ଏବେ
କେତେ ଦୂର ମୋର ଗାଆଁ..

ଆସ ଆସ ପ୍ରିୟ ନହୋଇ ନିର୍ଦ୍ଦୟ
ଭୁଲିଲିଣି ଶେଷ ପାଠ
ଅପୂର୍ଣ୍ଣ ଗଣିତ ଘାଟ ପରେ ବାଟ
ଅବା ବାଟ ପରେ ଘାଟ..!!

ତୁମେ ନ ଧରିଲେ କେ ଅଛି ଧରିବ
ଆହୁଲା ଭଙ୍ଗା ତରଣୀ 
ଅନ୍ତିମ ରଜନୀ ବିଜନ ବେଳାରେ
ଦେଖାଦିଅ ନୀଳମଣି..

ଶିବ ଚରଣ ମହାପାତ୍ର
ଚକ୍ରଧରପୁର, କେନ୍ଦୁଝର

Post a Comment

0Comments
Post a Comment (0)