ଭାରି ଭୋକ ଏବେ ଲାଗୁଛି ବୋଉ ,
କାମ ଦାମ ତୋର ସେତିକି ଥାଉ ।
ଖାଇବାକୁ ମୋତେ ଦେଏ ସଅଳ ,
ସାଙ୍ଗମେଳେ ଯାଇ ଖେଳିବି ଖେଳ ।

ଦେବୁ,ଜଗା,ସୋନୁ ଗଲେଣି ମିଶି ,
ଖେଳକୁଦ ସବୁ କରିବେ ହସି ।
କହିଥିଲୁ ଆଜି କରିବୁ ପିଠା ,
ଚକୁଳି କି ମଣ୍ଡା ଦେ ଦୁଇଟା ।

ଯାହା କରିଛୁ ତୁ ଦେଏ ଆଣିକି ,
ଖାଇ ଦେଇ ମୁହିଁ ଯିବି ତେଣିକି ।
ତୋ ହାତ ପରଷା ସୁଆଦ ଲାଗେ ,
ସେଥିପାଇଁ ପରା ଆହୁରି ମାଗେ !!

ବିଦ୍ୟାଳୟ ପଢ଼ା ସାରି ଫେରିଲି ,
ଚଞ୍ଚଳ ଖାଇଲେ ଯିବି ମୁଁ ବୁଲି ।

ସୁର ଭାଇ ସେଠି ଶିଖାନ୍ତି ଖେଳ ,
କେତେ ପ୍ରକାରର ଦେହ କୌଶଳ ।
ବଢ଼ିବ ଉଚ୍ଚତା-ଦେହର ଶକ୍ତି ,
କେତେ ପିଲା ତାହା ଶିଖନ୍ତି ନିତି ।

ଲମ୍ବ ଡିଆଁ,ଦୌଡ଼-ଉଚ୍ଚକୁ କୁଦି ,
ଶିଖିଲିଣି କିଛି ମୁହିଁ ଜଲଦି ।
ଏବେ ସେଇଠିକୁ ଖାଇକି ଯିବି ,
ଖେଳ ସାଥେ ତାହା ଅଭ୍ୟାସୁଥିବି ।

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।