ସମୟ ସ୍ରୋତରେ
ଗଳିପଡେ ବୁଢୀମାରଚିତାକୁଟା ମାଂସପେଶୀ
ଜଳ ଜଳ ଦେଖାଯାଏ
ହାତର ମୋଟା ମୋଟା ଶିରା
ଦେଇ ଦେଇ ଜୀବନ ସାରା ସେ
କ'ଣ ଆଉ ଅଛି ତା ପାଖରେ
କେବଳ ଆଶିର୍ବାଦ ଛଡା
ସେଇ ହାତ ଦିନେ ଚାଲି ଶିଖେଇଲା
ସେଇ ହାତ ଦିନେ ଟେକି ତୋତେ
ଚାନ୍ଦ ଧରେଇଲା
ଘର ଓଳେଇବା ଠାରୁ
ମୁଢିଭଜା ପୋଡପିଠା
ଆରିସା କାକରା ଯାଏ
ସବୁ କଲା ।
ଉଦୁଉଦିଆ ଦ୍ବିପହର
ଗରମ ତାତିକୁ
ଖାତିର ନକରି
ନିଦ ମାଉସି ଆସିବା ଯାଏ
ବିଞ୍ଚି ବିଞ୍ଚି କେତେ ଶୁଆଇଲା,
ବର୍ଷାଦିନେ ଗରମ ତେଲକୁ
ପାଦରେ ଘସି ଘସି
ସର୍ଦ୍ଦିକୁ ଡରେଇଲା ।
ଗାଁରୁ ସହର ଆସିବା ପାଇଁ
ଯେବେ ଡାକରା ପଡେ ବୁଢୀମାକୁ
ଖୁସିରେ ପାଦ ତଳେ ଲାଗେନାହିଁ
ତୋଳି ଆଣେ ସଜନା ଛୁଇଁ
ବାଡିର ପିଜୁଳି
ଜାତି ଜାତି ଶାଗ ପନି ପରିବା
ବୁଜୁଳା ବୁଜୁଳା କରି ବାନ୍ଧିଦିଏ
କେତେ ଯେ ପୁଡିଆ ।
ସେଇ ହାତ ମମତାର ଛୁଆଁ
ମିଠା ସେ ଦୁନିଆ
ସତେ କେତେ ଯେ ନିଆରା
କେତେ ଅନାବିଳ ସତେ
ତା ଭଲ ପାଇବା ।।
Writer's Details: ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)
ଓରାଳି, ହାଟଡିହି, କେନ୍ଦୁଝର ।।
Content Category:
Submission Date: Sep 07, 2019
0 Comments
You can write now your valuable comments here. Off-topic comments may be removed or deleted without prior notice.