ରଜ ତ ଆସିଲା ତୁମେ ଆସିଲନି
ଏମିତି କେମିତି ହେଲା ?
ସୁରୁଜ ତେଜରେ, ସୁନେଲି ଖରାରେ
ଦେହ ମନ ଜଳିଗଲା ।

ଆସିବାକୁ କହି ଆସିଲନି ଜମା
ଆଡରୁଷା କିଆଁ ଦେଲ ?
ତୁମ ଆସିବାର ପଥ ଚାହିଁ ଚାହିଁ
ଆଖି ଲୁହ ଲହୁ ହେଲା ।
ରଜ ତ ଆସିଲା...........

ତୁମ ଆସିବାର ଆଗୁଆ ସୂଚନା
ମଣ୍ଡୁକ ତ ଦେଇଥିଲା,
ତୁମ ଆଗମନେ ଶିଖୀ ପୁଛ ଟେକି
ତୁମ ପଥ ଚାହିଁଥିଲା ।

ଆସିବ ବୋଲି ତ ଧରଣୀ ରାଣୀ ଯେ
ଆନନ୍ଦେ ବିଭୋର ହେଲା,
ତୁମ ଆସିବାର ଯୋଜନା ଗୁଡ଼ାକ
ସବୁ ଫସର ଫାଟିଲା ।
ରଜ ତ ଆସିଲା...........

ରଜ ସାଥେ ବସି ଖେଳିଥାନ୍ତ ହସି
ଝୁଲିଥାନ୍ତ ବସି ଝୁଲା,
ପୋଡ଼ପିଠା ଖାଇ ମିଠାପାନ ଖାଇ
ପାଟି କରିଥାନ୍ତ ନାଲା ।

ନବବସ୍ତ୍ରେ ଅପରୂପ ଦିଶିଥାନ୍ତ
କରିଥାନ୍ତ ହୋ ହାଲ୍ଲା,
ତୁମ ଶୂନ୍ୟ ସ୍ଥାନେ ରଜ ମଉଜ ଟା
ଖାଲି ଫିକା ଫିକା ଲାଗୁଥିଲା ।
ରଜ ତ ଆସିଲା................

ରଜ ଚାଲିଗଲା ରଜ ର ବାଟରେ
ମୁଁହ କୁ କରି ରାଗିଲା,
କେତେ ଆଶା ସ୍ବପ୍ନ ନେଇ ଆସିଥିଲା
ଅପେକ୍ଷା ରେ ବିତିଗଲା ।

ରାଗ ଅଭିମାନେ ଅବା ଅପରାଧେ
ଏ କି କରିବାର ଥିଲା,
ସଭିଙ୍କର ଖୁସି ଆନନ୍ଦ ଢେଉ ରେ
ଏ କି ଜୁଆର ଆସିଲା ।

ସତେ ଏମିତି କେମିତି ହେଲା ?
ରଜ ତ ଆସିଲା ତୁମେ ଆସିଲନି
ଏମିତି କେମିତି ହେଲା।

ପ୍ରଣତି ମହାପାତ୍ର
ଫକୀରମୋହନ ନଗର, ବାଲେଶ୍ଵର