ଆବୃତ ହେଉ ଅବା ଅନାବୃତ..
କ୍ଷଣସ୍ଥାୟୀ ହେଉ ଅବା ଚିରସ୍ଥାୟୀ..
ଅମୃତମୟ ହେଉ ଅବା ହଳାହଳ ବିଷଭରା..
କିନ୍ତୁ..
ଚିରନ୍ତନ ସତ୍ୟଥିଲା ଆମ ସମ୍ପର୍କ
ସେକଥା କଣ ତୁମେ ମନା କରିବ..??
ହୃଦୟ କଳାପଟାରୁ
ପ୍ରେମ ସବୁ ପୋଛି ଦେଇପାର..
ନିଜ ଆଖିରେ
କଳାଚଷମାର ପରଦାଟେ ଢାଙ୍କି ଦେଇପାର..
ହେଲେ..
କେଉଁ ଅଜ୍ଞାତ ଅଧ୍ୟାୟରେ ତ ଏଯାଏଁ ଚଉତିଷା ହୋଇ ମନ୍ତ୍ରୀତ ହେଉଛି
ଢଳ ଢଳ ଟୋପେ ବିଶ୍ୱାସରେ ପ୍ରେମ..
ସେକଥା କଣ ତୁମେ ମନା କରିବ..??
" ଫରକ ପଡେନି କିଛି ତୁମେ ଗଲା ପରେ.."
ଥରିଲା ଓଠରେ ଆଉ କେତେ ହସି ହସି କହିବ..??
ମୁଁ କି ଜାଣେନା..
ଯେଉଁ ଓଠର ପ୍ରତ୍ୟେକଟି କମ୍ପନ
କେଉଁ ମାହେନ୍ଦ୍ର ବେଳାରେ ଲେଖାହେଲା..
ସେ କଥା କି ମୋତେ ଅଛପା ଥିଲା..
ସେ ଓଠ କଣ ଏବେ ମିଛର ପ୍ରଲେପ ଲେପିବ..??
ମାନୁଛି..
ଅଭିଶପ୍ତ ସମ୍ପର୍କଟେ ଆମ ଅନାମଧେୟ ଆବେଗ..
ହେଲେ ..
ଅଫୁରନ୍ତ ଆନନ୍ଦର ଉତ୍ସଥିଲା ସେ ଆକର୍ଷଣ..
ବର୍ଷା ବରଣେ ମାଟି-ଆକାଶର ପ୍ରଣୟ ମଧୁମିଳନ ପରି
ଟୁପ୍ କିନା ଗଢି ଉଠିଥିଲା
ଏ ସମ୍ପର୍କର ଇମାରତ୍..
ଆଜି ମାଟି ଫାଟି ଟାଙ୍ଗରା ଆଁ
ତଥାପି କଣ
ବର୍ଷାର ସେ ମହୁଲି ଛିଟା ସହିତ ସମ୍ପର୍କଟା ମିଛ..??
ତୁମେ
ସମ୍ପର୍କର ସେ ଗହଳି ଭିତରେ ନିଜକୁ ହଜେଇ ଦେବାର
ମିଥ୍ୟା ଅଭିଳାଷା ରଖିପାର..
ହେଲେ..
ଏକାନ୍ତରେ ତୁମ ଚତୁଃପାର୍ଶ୍ବରେ
ଆମ ସମ୍ପର୍କର ମଧୂ ଗୁଞ୍ଜରଣ ଏବେବି ଶୁଭୁଛି..
ସେକଥା କଣ ତୁମେ ମନା କରିବ..??

ଚକ୍ରଧରପୁର, କେନ୍ଦୁଝର