ବଳାହକେ ଦେଖି ବିଜୁଳି ଚମକ
  ମନରେ ଖେଳିଲା ପୁଲକ
  ଗ୍ରୀଷମ ଉଷୁମ ହେଲା ଉପଶମ
  ଚହଟିଲା ମାଟି ମହକ
  ବରଷା କଲାକି କୁହୁକ
  ଧୁଶର ଧରଣୀ ରାଣୀ ଦିଶିଲାଣି
  ସବୁଜ ରଙ୍ଗରେ ଚହକ

  ବନ୍ଧୁର ଧରିତ୍ରୀ ଗାତ୍ର କର୍ଦ୍ଧମାକ୍ତ
  ମୃଣ୍ମୟ ସଲୀଳ ମିଶ୍ରିତ
  ମନ୍ଦର କନ୍ଦର ଦିଶିଲେ ସୁନ୍ଦର
  ପାଦପର ପାଣି ଉଷତ
  ପବନ ପରଶେ ହର୍ଷିତ
  ଧରଣୀ ରାଣୀକୁ ଶୀତଳ କରନ୍ତି
  ଚାମର ପରାୟେ ବିଞ୍ଚିତ

  ତଟିନୀର ଧାର ହୋଇଲା ପ୍ରଖର
  ଶୂନ୍ୟ ଗରଭ ଭରପୁର
  ସଙ୍ଗତେ ପଲ୍ଲବ ପ୍ରସୂନର ହାର
  ଧରି ହୋଇଲା ଅଗ୍ରସର
  ଆହ୍ୱାନ କଲାଣି ସାଗର
  ତେଜିଲା ଭୂଧର ବନ ଗ୍ରାମ ପୁର
  ମିଳନେ ହୋଇଣ ଅଧୀର

  ପୁଚ୍ଛ ଟେକି କେକୀ ନୃତ୍ୱେ ଉର୍ଦ୍ଧ୍ବମୁଖୀ
  ହର୍ଷିତ ମୀନ ଦେଖି ବକୀ
  ନିରାଶା ମନରେ ଆଶା ସୃଷ୍ଟି ହେଲା
  ଆନନ୍ଦେ ବିଭୋର ଚାତକୀ
  ଜଳେ କ୍ରୀଡ଼ଇ ଚକ୍ରବାକୀ
  କଦମ୍ବ ଫୁଟିଲା ବାସ ଚହଟିଲା
  ସ୍ୱର୍ଗ ସମ ହେଲା ଧରା କି ?

  ଗଗନେ ତପନ ନଦେଖେ ନୟନ
  ଘନ କୋଳେ ଆତ୍ମଗୋପନ
  ଯେପରି ଦର୍ଦ୍ଦୁର ରାବେ ପୀକ ସ୍ଵନ
  ଖଳଙ୍କ ମଧ୍ୟେ ସାଧୁଜନ
  ଘନ କେଶେ ଆତ୍ମଗୋପନ
  ନବୀନ ଅବଳା କେଶ ଘନ କଳା
  ଘୋଡାଏ ତା ଚନ୍ଦ୍ରବଦନ
  
  ଘାଟ ବାଟ ପାଟ ଜଳରେ ପୂରିତ
  କର୍ଦ୍ଧମେ ସରଣୀ ମର୍ଦ୍ଦିତ
  ଜଳେ କାରଣ୍ଡବ କରେ ଉଚ୍ଚେ ରାବ
  ମଦନେ ହୋଇ ଜର୍ଜରିତ
  ସାଥୀକୁ ଲୋଡ଼ଇ ତୁରିତ
  ଯେପରି ବିଧୁର ଲୋଡ଼େ ପ୍ରିୟା ତାର
  କାନ୍ଦର୍ପରେ ହୋଇ ପୀଡ଼ିତ

  ଦିବସ ନହେଉ ଶେଷ କରେ ଘୋଷ
  ଦର୍ଦ୍ଦୁର ଝିଙ୍କାରି ଅବଶ୍ୟ
  ଜଳ ଅନର୍ଗଳ ସମୁଦ୍ର କଲ୍ଲୋଳ
  ଆଲଙ୍ଗୀ ନଦୀଙ୍କୁ ହରଷ
  ବହୁ ପତ୍ନୀ ମେଳେ ନରେଶ
  ଶଚି ସହିତରେ ଅଷ୍ଟ ଅପସରା
  ଗହଣେ ଯେପରି ସୁରେଶ

  ଧରା ଦିଶେ ତୋରା ସବୁଜ ବସନେ
  ଉପବନେ ଶୋଭେ ପ୍ରସୂନେ
  ପୁଷ୍କରିଣୀ ଜଳ ମଧ୍ୟରେ କମଳ
  ହର୍ଷିତ ଭ୍ରମର ଗୁଞ୍ଜନେ
  କୃଷକ ଆନନ୍ଦିତ ମନେ
  ମେଘମହ୍ଲାର କଣ୍ଠରେ ଗୀତ ଗାଇ
  କେଦାର କର୍ଷଇ ଯତନେ 
 
ପ୍ରମୋଦ କୁମାର ପଣ୍ଡା, ବାଘମାରୀ, ଖୋରଧା