ସଂନ୍ଧ୍ୟା ର ସମୟ ସରିଯାଇଥାଏ ଓ ରାତି ସେତେବେଳକୁ ଧୀରେ ଧୀରେ ଆରମ୍ଭ ହେଉଥାଏ।ଝରକା ପାଖରେ ବସି ଦେଖୁଥାଏ ମୁଁ ସେ ଜହ୍ନ କୁ।ସବୁଦିନ ପରି ବେଶ ସାଧରଣ ଦିଶୁଥାଏ ସେ ରାତିଟି,ଜହ୍ନ ର ସେ ଶୀତଳ କିରଣ ଝରକା ଦେଇ ଘରେ ପଡିବା ସହ ଶାନ୍ତିର ଏକ ବାତାବରଣ ସୃଷ୍ଟି କରୁଥାଏ।କୁନି କୁନି ତାରା ମାନେ ଦୂରରେ ଥାଇ କିଛି ନୂଆ କାହାଣୀ ଲେଖୁଥାନ୍ତି ଓ ଖୁସିରେ ଚମକୁ ଥାଆନ୍ତି ମଧ୍ୟ।ସେ ଧୀର ପବନ ଆସ୍ତେ ଆସି ଛୁଇଁଦେଇ ଚାଲିଯାଉଥାଏ ମୋର ମନକୁ ଓ କ୍ଷଣିକ ପାଇଁ ବିଚଳିତ ହୋଇପଡୁଥାଏ ନିରୀହ ମନଟି ମୋର।ସେ ଶାନ୍ତ ଶୀତଳ ବାତାବରଣ ମଧ୍ୟରେ ନିଜକୁ ସମ୍ପୂର୍ଣ୍ଣ ଭାବେ ସାମିଲ କରିଦେଇ ଉପଭୋଗ କରୁଥାଏ ପ୍ରକୃତିର ସେ ଅନନ୍ୟ ସୌନ୍ଦର୍ଯ୍ୟ କୁ।ଧୀରେ ଧୀରେ ରାତି ବଢିବାକୁ ଲାଗେ।


ହଠାତ୍ ଏକ ଉଜ୍ଜ୍ୱଳ ଆଲୋକ ଆସି ଦିବସର ଏକ ମରୀଚିକା ସୃଷ୍ଟି କରିଦିଏ, କିଛି ସମୟ ପରେ ଶାନ୍ତ ରହିଥିବା ବାଦଲ ଅସ୍ଥିର ହୋଇ ଉଠେ, ପବନ ନିଜର ପରିଚୟ ବଦଳାଇ ଦେଇ ଦୀର୍ଘ ନାଦରେ ଗତି କରିବାକୁ ଲାଗେ,ହସୁଥିବା ତାରା ସବୁ କୁଆଡେ ଅଦୃଶ୍ୟ ହୋଇଯାଆନ୍ତି, ପ୍ରଚଣ୍ଡ ଘଡଘଡି ର ଶବ୍ଦ ମୋ ଛାତିକୁ ଥରାଇ ଦେଉଥାଏ, ସମୟ ବଢିବା ସହ ମନର ଭୟ ମଧ୍ୟ ବଢୁଥାଏ। ଭୟର ନିରବ ରହି ବୋଉକୁ ଅପେକ୍ଷା କରି ରହିଥାଏ ମୁଁ। କିଛି ସମୟ ପରେ ସବୁକିଛି ଠିକ ହୋଇଯାଏ।ବର୍ଷା କମିଯାଏ ଓ ବୋଉ ଖାଇବା ପାଇଁ କହେ ଓ ମୁଁ ଚାଲିଯାଏ।କିଛି ସମୟ ପରେ ଆସି ଦେଖେ ସେ ହସୁ ଥିବା ଜହ୍ନ ଟିର ମୁହଁ ମଳିନ ପଡିଯାଇଥାଏ ଓ ସେ ରାତିର ରୂପ ମଧ୍ୟ ବଦଳିଯାଇଥାଏ।ଦେଖୁ ଦେଖୁ ରାତି ପାଖାପାଖି ୨.୦୦ ,ଆଖିର ନିଦ ଆଉ ଅନୁମତି ଦେଉନଥାଏ ସେ ଜହ୍ନ ରାତିକୁ ଦେଖିବା ପାଇଁ ବାସ କିଛି ସମୟ ପରେ କେତେବେଳେ ନିଦ ଆସିଗଲା ଜାଣିପାରିଲି ନାହିଁ ଆଉ ଶୋଇପଡ଼ିଲି ମଧ୍ୟ।


Writer's Details: ରଶ୍ମି ରଞ୍ଜନ ନାୟକ
Content Category:
Submission Date: Jul 12, 2019