ଯାତ୍ରା ବହୁଦୁର 
ବେହିସାବ ଅଗଣିତ ଯାତ୍ରୀର
ଅଚିହ୍ନା ଅଜଣା
ଷ୍ଟେସନ୍ ର ଅଦେଖା ଅତିଥି
କିଛି ସମୟର  ।
କିଏ ଆସେ କେତେ ଦୁରୁ
ଲକ୍ଷ ଏକ
ଗୋଟି ପରେ ଗୋଟିଏ ଷ୍ଟେସନ
କିଏ କେତେବେଳେ ଯାଏ
ହିସାବ କେହି ରଖେନା କାହାର ।
ସଂପର୍କ କିଛି ଘଣ୍ଟାର
ଅଚିହ୍ନା ପାଲଟିଯାଏ ଚିହ୍ନା ମୁଁହ
ନା କେବେ ପୁଣି ଦେଖାହୁଏ
ନା ଦେଖିବାର ସୁଯୋଗ ବି ଥାଏ
ତଥାପି ଝଟକୁ ଥାଏ
ସ୍ମୃତିରେ କେହି କେହି
ପୁଣି ତୋଳୁଥାଏ ହୃଦୟରେ ସ୍ବର ।
ଷ୍ଟେସନ୍ ଆଣେ
ଏକ ଛୋଟିଆ ପୃଥିବୀର କଲ୍ପନା
ଅନନ୍ଯ ଅନୁଭୂତି ତୋଳେ
ମନରେ, ହୃଦୟରେ
କେତେ ଉଦାରତା
ବକ୍ଷରେ ତାର ।
ସବୁକୁ ଜାବୁଡି ଧରି
ଚାଲୁଅଛି ରେଲଗାଡି
ନା କିଛି ଜାତି ଧର୍ମ ବର୍ଣ୍ଣ ଭେଦଭାବ
ନା କିଛି ଅସହିଷ୍ଣୁ ପଣ
ଯାତ୍ରା ତାର ଚାଲୁଥାଏ
ନିର୍ବିକାର ନିରନ୍ତର।
ଚାଲିଛି ଏମିତି
ଚାଲିଥିବ ସ୍ରୁଷ୍ଟି ଥିବାଯାଏ
କାନେ କାନେ ଫୁଙ୍କୁଥିବ
ସମାନତା ମନ୍ତ୍ର
ବାର୍ତ୍ତା ଦେଉଥିବ
"ବସୁଧୈବ କୁଟୁମ୍ବ କମ୍" ର
କେହି ନୁହେଁ ପର ।
ସମସ୍ତେ  ଭାଇ ଭାଇ
ସତେ ଅତି ଆପଣାର ।।
             
Writer's Details: ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ )
ଓରାଳି, ହାଟଡିହି, କେନ୍ଦୁଝର ।
Content Category:
Submission Date: Jul 12, 2019