ସେଦିନ ଚାତକିନୀ ମାଟି ର ସମସ୍ତ ଆଶା ଅଭିଳାଷ କୁ ପୂରଣ କରିବାକୁ ଯାଇ ଆକାଶ ର ବର୍ଷା ମେଘବଉଦ ର ପାଲିଙ୍କି ଚଢି ଛମ୍ ଛମ୍ ପାଉଁଜି ଶବ୍ଦ ରେ ଧିରେ ଧିରେ ଓହ୍ଲାଇ ଆସୁଥିଲା ଧରଣୀ ର ତୃଷାର୍ତ୍ତ ଓଠ ଆଡକୁ   । ମାଟି ଆଉ ବର୍ଷା ର ମିଳନ ପର୍ବ ରେ ସମଗ୍ର ପୁର ପଲ୍ଲୀ ସହର ନଗର ଆନନ୍ଦ ଉଲ୍ଲାସ  ରେ ଉତ୍ସବ ମୁଖର ହୋଇ ଉଠିଥିଲା । ମାଟି ଅନ୍ତସତ୍ତ୍ୱା  ହେବା ପରେ ପୃଥ୍ବୀ ର ଉତ୍ତାପ ଧୀରେ ଧୀରେ ଅପସରୀ ଯାଉଥିଲା ହେଲେ ଦାଣ୍ଡ ଅଗଣା ରେ ଝୁଲୁଥିବା ଝୁଲା ଚେୟାର ରେ ବସି ରହିଥିବା ନୀଳମଣି ମହାପାତ୍ର ଙ୍କ ଛାତି ଭିତର ପୃଥିବୀ ଟା ନିଦାଘ ର ଡହଡହ ତପ୍ତ ବାଲିରାଶି କୁ ଜାବୁଡି ଧରି ଅପଲକ ନୟନ ରେ ଚାହିଁଥିଲା ତାଙ୍କ ଅଗଣା ସାମ୍ନାରେ ଥିବା ଆମ୍ବ ତୋଟା ମାଳ ର ଝୁଲନ୍ତା ଦୋଳି ଗୁଡିକୁ । ହୃଦୟ ଭିତର ର ଅସରନ୍ତି କୋହ ସବୁ କେତେବେଳେ  ଫୁଟି ଟକମକ ହୋଇ ଆଖି କୋଣରେ ଆଗ୍ନେୟଗିରି ସୃଷ୍ଟି କରି ସାରିଥିଲେଣି ସେ ଜାଣନ୍ତି ନାହିଁ ।

ସେଇ ବାଟ ଦେଇ ଯାଉଥିବା ଦାମ ମହାନ୍ତ  ଙ୍କର ନଜର ତାଙ୍କ ଉପରେ ପଡିଯିବାରୁ ସେ ପାଖକୁ ଆସି କହିଲେ,
-"ନୀଳ ଭାଇ, କଣ ହେଇଛି ..ତୁମେ ଏମିତି କାନ୍ଦୁଛ..??"
ତା ପ୍ରଶ୍ନ ରେ ପ୍ରକୃତିସ୍ଥ ହୋଇ ନୀଳମଣି ହସି ହସି କହିଲା, -"ଆରେ ନା.. ନା .. ,ସେମିତି କିଛି ହେଇନି ମ.. ଖାଲି ଟିକିଏ ପୁଅ ବୋହୂ ଆଉ ସେ ନାତି- ନାତୁଣୀ ମାନଙ୍କ କଥା ମନେ ପଡିଗଲା ତ.. ଆଖିରେ ଟିକିଏ ଲୁହ ଜକେଇ ଆସିଲା.. ହଉ ଛାଡ ସେ କଥା..ତୁ କୁଆଡେ ବାହାରିଲୁ ..??"
-''କୁଆଡେ ଆଉ ଯିବି ଭାଇ..?? ତପନ ଟା ଏସନ ଭଲ ନମ୍ବର ରଖି କଲେଜ ପାସ୍ କରିଛି , ସେ ଆହୁରି ପଢିବାକୁ ଚାହୁଁଛି ତେଣୁ ଏବେ ରଜ ସରୁ ସରୁ ହାତରେ ଏଇ ଘାନା ଆଉ ଛଣି ନେଇ ପଥର ପିଟିବାକୁ ଯାଉଛି । ଦି ପଇସା ରୋଜଗାର କରି ଆଣିଲେ ସିନା ସିଏ ପାଠ ପଢି ବଡ ମଣିଷ  ହେବ , ଆଉ ଆମ ପରିବାର ର ଦୁଃଖ ଯିବ..।"
ଅବଶୋଷ ର ଗ୍ଳାନି ଆପେ ଆପେ ଉଇଁ ଆସିଥିଲା ନୀଳମଣି ଙ୍କର ସଫେଦ୍ ଚେହେରା ଉପରେ । ସେ କହି ଉଠିଲେ, -"ହଁ ରେ ଦାମ, ଏଇ ପିଲାମାନେ ହିଁ ତ ଆମ ଜୀବନର ଶେଷ ସମ୍ପତ୍ତି ।ଦେଖୁନୁ ଆମ ରୋହିତ ଆଉ ରୋହନ ଦୁହେଁ କେମିତି ପାଠ ପଢି  ବିଦେଶ ରେ ଯାଇ ବଡ ଚାକିରୀ କରୁଛନ୍ତି ..ଏବେ ମାସ କୁ ମାସ ପଇସା ପଠେଇ ଦେଉଛନ୍ତି .. ରବିବାର ଦିନ ମୋବାଇଲ ଫୋନ ରେ ଭିଡିଓ କଲ କରି ସମସ୍ତ ଙ୍କୁ ଦେଖି ନିଏ .. ମୋ ନାତି ନାତୁଣୀ ସବୁ ଇଂରେଜ ପିଲା ପରି ଇଂରାଜୀ ରେ କେତେ କଥାବାର୍ତ୍ତା କରୁଛନ୍ତି ... ବହୁତ ଭଲ ଲାଗେରେ ଭାଇ.. ଯାହା ହେଉ ପିଲା ଦୁଇଟା କୁଳ ରେ ଲାଗି ଗଲେ ।ସେ ଜମାନା ରେ ମୋ ପାଖରେ ଏ  ବ୍ୟାଙ୍କ ଚାକିରୀ ଖଣ୍ଡିକ ଥିଲା ବୋଲି ସିନା ମୁଁ ଏସବୁ କରି ପାରିଲି । ତୋ ଭାଉଜ ର ମାଷ୍ଟରାଣୀ ଚାକିରୀ ରେ ଘର ଚାଲୁଥିଲା ବେଳେ ମୋ ଦରମା ରେ ଦୁଇ ପୁଅ ଆରାମ ରେ ବଡ କଲେଜ ରେ ପାଠ ପଢିଗଲେ । ଯାହା ହେଉ ସେମାନେ ଆଜି ବହୁତ ଭଲ ରେ ଅଛନ୍ତି .. ଆଉ ସବୁ ପରେ ମୁଁ ଆଜି ବହୁତ ଖୁସି ରେ ଦାମ .."
-"ହଁ ,ନୀଳ ଭାଇ ,ସେ ସମୟରେ ତୁମେ ଦୁଇ ଦୁଇ ଜଣ ଚାକିରୀ କରିଥିଲ ବୋଲି ସିନା ଛୁଆ ଦୁଇଟିକୁ ଭଲ ମଣିଷ କରି ପାରିଥିଲ .. ଆଉ ଆଜିକାଲି ଦୁନିଆ ରେ ଗୋଟିଏ ଛୁଆ କୁ ବି ପାଠ ପଢେଇବା ବହୁତ କଷ୍ଟ ..ହେଲେ ଭାଇ..ତୁମେ ଆଜି କଣ ପାଇଁ କାନ୍ଦୁଥିଲ ମୋତେ କହିଲନି ତ ..?"
ଦାମ ର ଜିଦ୍ ଆଗରେ ନିଜର ଅନିଚ୍ଛା ସତ୍ତ୍ବେ ମନ ତଳେ ଲୁଚି ରହିଥିବା ସମସ୍ତ  ଅସରନ୍ତି ଲୁହପେଡି ର କାରଣ କୁ ସେ ତା ପାଖରେ ଉନ୍ମୁକ୍ତ କରିଦେଲେ ।
-"କଣ କହିବି ରେ ଦାମ ..?? ପରିବର୍ତ୍ତିତ ସମାଜ ରେ ବୟସ ର ଅପରାହ୍ନ କୁ ଜାବୁଡି ଧରି ଅଙ୍କ କଷି ବସୁଛି ଯେ ମୁଁ ବିଗତ ଜୀବନ ରେ କେତେ ପାଇଲି ଆଉ କେତେ ହରାଇଲି ... ଆଉ ଜାଣିଛୁ, ବ୍ୟାଙ୍କ ଆକାଉଣ୍ଟେଣ୍ଟ୍ ହୋଇ ମଧ୍ୟ ଜୀବନ ର ମାନସାଙ୍କ ମୋର ସବୁଥର ଭୁଲ୍ ହେଇଯାଏ । ସେ ଦୂର ପାହାଡ ଟା ସତରେ ବାହାରୁ ଏତେ ସୁନ୍ଦର ନା ତା ଭିତର ଟା ବି ସୁନ୍ଦର ଅଛି ?? ବହୁତ ଥର ଏଇ ଝୁଲଣା ଚୌକି ଉପରେ ବସି ଅନୁମାନ ଲଗେଇଛି ହେଲେ କେବେବି ପରିତୃପ୍ତି ର ନିଶ୍ୱାଃସ ମୁଁ ଖୋଜି ପାଇ ପାରିନି ତା ଦେହରୁ । ତୋ ଭାଉଜ ଆର ପାରିକୁ ଚାଲିଯିବା ପରେ ପରିଣତ ବୟସରେ ଆଉ ଏଇ ଭିଟା ମାଟିରେ ପଡି ରହିବିନି ବୋଲି ଭାବି ବଡପୁଅ ପାଖକୁ ଆମେରିକା ଚାଲି ଗଲି ହେଲେ ମୁଁ ସେଇଠି ଘର ଭିତରଟାରେ ବସି ବସି ଅଣନିଶ୍ବାସୀ ହୋଇଗଲି । ରୁଟିନ ବନ୍ଧା ଜୀବନ ରେ ରାତି ପାହିଲେ  ପୁଅ ବୋହୂ ଅଫିସ ଚାଲିଗଲେ , ନାତି-ନାତୁଣୀ ଙ୍କ ସହିତ ଖେଳିବା ତ ଦୂରର କଥା ତାଙ୍କ ସହିତ ଭଲ ରେ  କଥାବାର୍ତ୍ତା ହେବାକୁ ମଧ୍ୟ ତାଙ୍କ ପାଖରେ ସମୟ ନାହିଁ । ମୁଁ ଦିନ ପନ୍ଦର ଟା ସେଇଠି ରହି ପାରିଲିନି । ସାନ ପୁଅ ନୌ-ବାହିନୀ ର କ୍ୟାପଟେନ  , ସେ ଥରେ ଲେଖାଏଁ ଜାହାଜ ନେଇ ଗଲେ ପାଞ୍ଚ-ଛଅ ମାସ ରେ ଭାଇଯାଗ୍ ଫେରୁଛି । ସେଇଠି ବୋହୂ ଏକା ନାତି ଟୋକା କୁ ନେଇ ରହୁଛି । ତାଙ୍କ ପାଖକୁ ଯିବାକୁ ମୋ ମନ କାଇଁ  ବଳୁନି । ଆଉ ଜାଣିଛୁ ଦାମ ..?? ଥରେ ସାନ ପୁଅ କୁ କହିଲି ବାପା ରେ ତମେ ସବୁ ଏଇ ରଜ,  ମକର , ପର୍ବ ପର୍ବାଣୀ ରେ ଟିକିଏ ଘରକୁ ଆସନ୍ତନି ମୋତେ ଟିକେ ଭଲ ଲାଗନ୍ତା.. ମୋ କଥା ଶୁଣି ସେ କଣ  କହିଲା ଜାଣିଛ..?? ସେ କହିଲା -"ବାପା..ଗାଁ ରେ କଣ ସେ ପର୍ବ ପର୍ବାଣୀ ଆଉ ଅଛି..!? ଏମିତି ବି ବିଗତ ଅତୀତ ରେ ଆପଣଙ୍କ ସହିତ ମିଠା ସ୍ମୃତି କିଛି ନାହିଁ ଯାହାକୁ ନେଇ ଆମେ ଗାଁ ରେ ଖୁସି ମଜା କରି ସମୟ କଟେଇ ପାରିବୁ । ଛୋଟ ବେଳୁ ଘର ର ଚାକରାଣୀ ପାଖରେ ବଢିଲୁ  .. , ଟିକିଏ ବଡ ହେଲା ପରେ ହଷ୍ଟେଲ ରେ ବାଲ୍ୟ ଜୀବନ ର ସବୁ ଚପଳାମୀ ସାରି ଦେଲୁ... ବଡମଣିଷ ହେଲା ପରେ ସେ ଗାଁ କୁ ଆଉ ଯିବାକୁ ଇଛା ହେଉନି ବାପା.. ଆପଣ ଖରାପ ଭାବିବେନି  ,ଯେଉଁଟା ପ୍ରାକ୍ଟିକାଲ ମୁଁ ସେଇଟା ହିଁ କହୁଛି  । ଠିକ୍ ଅଛି ଆପଣ କହୁଛନ୍ତି ଯଦି ତେବେ ସନି ର ସ୍କୁଲ ଛୁଟି ହେଲେ ଆମେ ସବୁ ଯାଇ ଗାଁ ରୁ ବୁଲିଆସିବୁ ହେଲା , ରହୁଛି ।"..

ବାସ୍ ସବୁକିଛି ଶେଷ୍... ମୁଁ ଠିକ୍ ରେ ଜାଣିଛି ଯେବେ ସନି ର ସ୍କୁଲ ଛୁଟି ହେବ ସେତେବେଳେ ରୋହନ ର ଛୁଟି ନଥିବ ,ଆଉ ଯେବେ ରୋହନ ର ଛୁଟି ଥିବ ସେତେବେଳେ ସନି ର ସ୍କୁଲ ଚାଲିଥିବ । ବହୁତ ଇଛା ହେଉଥିଲା କି ତାକୁ କୋଳ ରେ ବସେଇ କହନ୍ତି  ନାଇଁ ରେ ଧନ .,, ତୋର ସବୁ ଧାରଣା ଭୁଲ୍ ।  ଏଇ ଗାଁ ରେ ସବୁ ଅଛି .. ଏଇ ଦେଖୁନୁ ପାହାଡ, ଝରଣା, ଜଙ୍ଗଲ, ଭଙ୍ଗା ଲଣ୍ଠନ ର ମିଞ୍ଜି ମିଞ୍ଜି ଆଲୁଅ , ଭାଗବତ ଟୁଙ୍ଗୀ ର ବେଦ ଉଚାରଣ  , ଗାଁ ମୁଣ୍ଡ ଶିବ ମନ୍ଦିର ର ଘଣ୍ଟ ଘଣ୍ଟା ଶଙ୍ଖ ଧ୍ୱନୀ ଏବେବି ମୋତେ ଶୁଭା ଯାଉଛି  , ମାଟି ସଡକ ର କେଁ କଟର ସଗଡ ଗାଡି , କେନ୍ଦରା ବେହେଲା ର କରୁଣ ରାଗିଣୀ, ନଇ କୂଳ ରୁ ଭାସି ଆସୁଥିବା ନାଉରୀ ପିଲା ର ମାଝି'ରେ ଗୀତ ସାଙ୍ଗ କୁ ସଞ୍ଜ ଫେରନ୍ତା ଗଉଡ ଟୋକା ର ବଇଁଶୀ ସ୍ୱନ ... ସବୁକିଛି ଯେମିତି କୁ ସେମିତି ଜୀବନ୍ତ  ଅଛି .... ହେଲେ ମୁଁ ହିଁ ତୁମ ମାନଙ୍କ ପାଖରୁ ସେ ସମୟ ର ସୁଖ , ସେ ଖୁସି ରୁ ବଞ୍ଚିତ କରି ରଖିଦେଲି ।

ସେତେବେଳେ ଯଦି ରଜ ଦୋଳି ସାଥିରେ ମୋ କାନ୍ଧ ର ଘୋଡା-ହାତୀ ରେ ତାଙ୍କୁ ବସିବାର ସୁଯୋଗ ଦେଇ ଥାଆନ୍ତି  , ତା ମା ' ତାର ମମତା ବୋଳା ପଣତ କାନି ରେ ତାଙ୍କ ଦେହର ଧୂଳି ଝାଡି ଦେଇଥାଆନ୍ତା  ତେବେ ଆମେ ବି ତାଙ୍କ ଖୁସି କୁ ଆକାଶ ଛୁଆଁ ଉଡାଣ ଦେଇ ପାରିଥାଆନ୍ତୁ । ସେମିତି ହେଇଥିଲେ  ହୁଏତ ଏ ବୃଦ୍ଧ ବୟସ ରେ ପୁର୍ବ ସ୍ମୃତି ର ରେଶମୀ ଗାଲିଚା ଏଯାଏଁ ଚକମକ ହୋଇ ମହମହ ବାସ ବିଚ୍ଛୁରିତ କରି ତାଙ୍କୁ ଆଉଥରେ ସେ ପ୍ରେମ ରେ ପକେଇବାକୁ ଟାଣି ଆଣି ଥାଆନ୍ତା । ହେଲେ ଦୁନିଆ ରେ ଦୁଇଟି ମାଟି କଣ୍ଢେଇ କୁ ଯତ୍ନ ରେ ସାଇତି ସମାଜରେ ମୃଣାଳ ମୁରତି ସିନା ତିଆରି କରିଦେଲି ହେଲେ ତା ଭିତରେ ଆତ୍ମା ରୂପକ ଯେଉଁ  ସଂସ୍କାର ସ୍ଥାପନା କରିବାର ଥିଲା ମୁଁ ତାକୁ ସ୍ଥାପିତ କରିବାକୁ ଭୁଲିଗଲି , ଯାହାର ଫଳ ସ୍ୱରୂପ  ସେ ମୂର୍ତ୍ତୀ ସଂସ୍କୃତି ପରମ୍ପରା ଠାରୁ ବିମୁଖ ହୋଇ ପାଶ୍ଚାତ୍ୟ ଅଭିମୁଖେ ଯାତ୍ରା ଆରମ୍ଭ କରିଦେଲା । ତଥାପି ମୁଁ ପରିତ୍ୟକ୍ତ ଅନ୍ତେବାସୀ ହୋଇ ଖୁବ୍ ଖୁସି ରେ ରହିବାର ଅଭିନୟ କରି ଚାଲିଛି ରେ ଦାମ.. ସେମାନେ ଭଲ ରେ ରୁହନ୍ତୁ..  ବାସ୍.. ଏବେ ଖାଲି ତାଙ୍କ ଫେରିବା ବାଟକୁ ପ୍ରତିକ୍ଷା.."
ଏତକ କହି ଦୀର୍ଘ ଶ୍ୱାସ ଟିଏ ଛାଡିଥିଲେ ନୀଳମଣି ବାବୁ...
-"ଓହୋଃ ...ଜୀବନ ରୁ ବହୁତ ବଡ ବୋଝଟିଏ ଏବେ ହାଲୁକା ହେଇଗଲା.." ଆଖିର ଲୁହ ପୋଛୁ ପୋଛୁ ସେ ପୁଣି ଚାହିଁଥିଲେ ସେ ଆମ୍ବ ଗଛ ରେ ଝୁଲୁଥିବା ଦୋଳି ଟିକୁ । ଏବେ କିନ୍ତୁ କିଛି ଛୁଆ ତାକୁ  ଆକାଶ ଛୁଆଁ ଯାଏଁ ଉଡେଇ ଚାଲିଛନ୍ତି .. ଆରେ ଏ ..ଏ ..ଗଲା ଗଲା ପଡିଗଲା ତ ଆଉ... ଚୌକି ଉପରୁ ହଠାତ୍  ଉଠି ପଡିଥିଲେ ନୀଳମଣି ବାବୁ ।
-"ଆରେ ଦାମ ଗଲ ଗଲ ତାଙ୍କୁ ଉଠେଇ ଧର.. ଦେଖ ତ କାହାର କିଛି ହେଇନି ତ..??"
ହେଲେ ତାଙ୍କ ପାଖରେ ତ କେହି ନଥିଲେ , ଆରେ ସେ ଆମ୍ବ ଗଛ ର ଦୋଳି ଟା କୁଆଡେ ଗଲା..?? ଆଉ ସେ ଛୋଟ ପିଲା ଗୁଡିକ ..?? ସେମାନେ କୁଆଡେ ଗଲେ ..??
ନୀଳମଣି ବାବୁ  ପୁନର୍ବାର ଲଥ୍ କିନା ବସିପଡିଲେ ସେ ଝୁଲନ୍ତା ଚୌକି ଉପରେ । ତେବେ କଣ ଗାଁ ଲୋକମାନେ  ଯାହା ଫୁସୁର ଫାସର ହେଉଛନ୍ତି  ସେସବୁ ସତ ..?? "ମୁଁ ପାଗଳ ନୀଳମଣି..!!"

ଚକ୍ରଧରପୁର, କେନ୍ଦୁଝର