ସେଦିନ ସିନା ବିଚିତ୍ର ବିଜ୍ଞାନ
ଆମେରିକା ମୁଖରେ ଭରିଥିଲା ଅଫୁରନ୍ତ ହସ,
ହେଲେ ସେହି ବିସ୍ମୟ ବିଜ୍ଞାନବି... ଟିକିଏ ଶାନ୍ତି ପାଇଁ -
ଧକେଇ କାନ୍ଦୁଥିଲା
ହିରୋସୀମା ନାଗାସାକୀ ଆଖିରେ ସାଜି
କରୁଣ ଅଶ୍ରୁଧାର,
ପୁଳାଏ ଗର୍ବ ମେଞ୍ଚାଏ ଜିଦ୍ ପାଇଁ...
ସ୍ନେହ ପ୍ରେମ ମମତା ବୁଡ଼ାକ ସାଜିଲେ ଚିରଶତ୍ରୁ,
ବାୟୁ ଆଲୋକବି ସାଜିଲେ ଅସ୍ପୃଶ୍ୟ
ବାଧ୍ୟରେ ବିଶ୍ୱ ମାନିଲା ଶୋକ ଦିଵସ
ସେହି ଯୁଦ୍ଧ ଭୁଇଁର ଶହୀଦଙ୍କୁ ଝୁରି ଝୁରି।

ଆଜିବି ମମତାମୟୀ ମା'ଟା କାନ୍ଦୁଛି
ଜନ୍ମକରି ବିକଳାଙ୍ଗ ଶିଶୁ,
ବାୟୁମଣ୍ଡଳଟା ସୂର୍ଯ୍ୟାଲୋକରେ ଦେଖାଉଛି.....
ଦ୍ଵିତୀୟ ବିଶ୍ବଯୁଦ୍ଧର ମର୍ମନ୍ତୁଦ ଫଟୋଚିତ୍ର
ଅଗଷ୍ଟ ଛଅରେ ଆମେରିକାର ଛକାମାଡ଼,
କେମିତି ଖୀନ ଭିନ କରୁଥିଲା ?....
ହିରୋସୀମା ନାଗସାକୀର ବିଶାଳ ପ୍ରାଚୀରକୁ
ଲିଟିଲ ବୟ ଓ ଫେଟ ମ୍ୟାନ ଦ୍ୱୟ
ସତେ ଯେମିତି କରିଥିଲେ ଅଟଳ ପ୍ରତିଜ୍ଞା,
ସମୂଳେ ବିନାଶ କରିବାକୁ
ସେ ସ୍ୱର୍ଣ୍ଣମୟୀ ଇନ୍ଦ୍ରପ୍ରସ୍ଥ।

 ଆଜିବି ସମୟ ବିନମ୍ର ନିବେଦନ କରି କହୁଛିରେ ବିଜ୍ଞାନ
ହିଂସା ଛାଡି ପ୍ରେମ କରି ଶିଖ୍
ଯୁଦ୍ଧ ଭୁଲି ଶାନ୍ତି ବାଣ୍ଟିବା ଶିଖ୍
ମଣିଷ ପରା ଜନ୍ମିଛି ବଢାଇବାକୁ ବନ୍ଧୁତ୍ୱର ବଂଶ,
ଅଜ୍ଞାନ ପ୍ରାୟ କାହିଁକି ତୁ ଦୌଡୁଛୁ
ଧନ ପଦବୀ ଆଉ କ୍ଷମତାର ମରୀଚିକା ପଛେ,
ସୁଧୁରି ଯାରେ ଅବୁଝା
ଜୀବନକୁ ଗଢି ଗଢି ବଢ଼ାଉ ଶିଖ୍
ଆଉ ବାଣ୍ଟିଦେ ସଭିଙ୍କ ହାତେ ପ୍ରେମର ଷାଠିଏ ପଉଠି।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର