ବର୍ଷା ରାଣୀର ଗୀତ - ବିଷ୍ଣୁ ପ୍ରସାଦ ମିଶ୍ର

0
ବର୍ଷା ରାଣୀର ଗୀତ
⛈️⛈️⛈️⛈️⛈️⛈️
ବର୍ଷା ରାଣୀ ଗାଏ ମହ୍ଲାର ସୁରରେ
ନିର୍ଜନେ ଧରା କୋଳେ,
ନ ଶୁଭେ କାକଳି, ନ ଶୁଭେ ଶବଦ 
କୋଳାହଳ ଏତେବେଳେ.
ସବୁଜିମା ଆଜି ଧରଣୀ ରାଣୀଟି
ଖୁସି ନିର ଦେହେ ଝରେ,
ବାଦଲର ଛବି ସୁଷମା ବଢାଏ
ଛିଟା ପାଣି ଫୋଟକାରେ.
ବାଇଚଢେଇ ଟି କିଚିରି ମିଚିରି
ହେଉଥାଏ ବୁଦା ମୂଳେ,
ଆନନ୍ଦିତେ ରଡି କଟର କେଁ କଟ
ବେଙ୍ଗ ପିଲେ ସାରୁମୂଳେ. 
ଝିଣ୍ଟିକା ବାପୁଡ଼ା ଛଟପଟେ ଡିଏଁ
ଏ ଡାଳରୁ ସେଇ ଡାଳେ, 
ପିଲାଏ ଭସାନ୍ତି କାଗଜ ଡ଼ଙ୍ଗାକୁ
ଉଚ୍ଛୁଳା ବରଷା ଜଳେ. 
ଗାତ ଭରିହୋଇ ପାଣି ପଶିଗଲେ
ଜନ୍ଦା ପିମ୍ପୁଡ଼ିଙ୍କ ମାଳ,
ବାଲିଆ ମାଟିରେ ସାଧବ ବୋହୂର
ଛନ୍ଦା ଚାଲି କୁତୁହଳ. 
କେଞ୍ଚୁଆ ଖୁସିରେ ଗୋଳିଆ ପାଣିରେ
ହଲିହଲି ଧାଉଁଥାଏ,
ବିଚରା କୁକୁଡା ଓଦା ସରବରେ
ଖୁସିରେ ତାହାଙ୍କୁ ଖାଏ.
କେତେ ଯେ କହିବି ବର୍ଷା ରାଣୀର
ଝରା ଧରା ପ୍ରୀତି ଗୀତି,
ମନ ନ ପୂରଇ ଭାବୁଥାଏ ଯେତେ
ବରଷାର ଗୀତ ପ୍ରତି.

ବିଷ୍ଣୁ ପ୍ରସାଦ ମିଶ୍ର, କୋରାପୁଟ
9124049129

Post a Comment

0Comments
Post a Comment (0)