ଚମ୍ପା,କନିଅର,ଅରଖ,ଦୁଦୁରା
ସବୁ ତ ଅରପିଲିଣି ,
ଆଉ କେଉଁଥିରେ ତୋଷହେବ ତୁମେ
କୁହ ଆହେ ଶୂଳପାଣି !!

ଗିରିରାଜଙ୍କର ଅଟେ ମୁଁ ଦୁଲାଳୀ
ହୈମବତୀ ମୋର ନାଆଁ ,
ତୁମପାଦେ ମନ ଅରପି ଦେଇଛି
ନ ଜାଣି ବି ଗୋତ୍ର-ଗାଆଁ ।

ଲୋଡ଼ାନାହିଁ ମୋର ରାଜସୁଖ ଶିରୀ
ଅବା କେଉଁ ସୁପୁରୁଷ ,
ଜଗତ ଯାକର ସକଳ ଐଶ୍ୱର୍ଯ୍ୟ 
ତୁମ୍ଭଠୁଁ ଆରମ୍ଭ ଶେଷ ।

ଯୋଗୀଙ୍କ ମଧ୍ୟରେ ମହାଯୋଗୀ ତୁମେ
ସକଳ ଇନ୍ଦ୍ରିୟ ଜୟୀ ,
ଆଶୁତୋଷ ଆଉ ବରାଭୟ ଦାତା
ଅଛି ତୁମପଦ ଧ୍ୟାୟୀ ।

ବରିବାକୁ ଚାହେଁ ପ୍ରାଣପତି ରୂପେ
ମୋପରେ ପ୍ରସନ୍ନ ହୁଅ ,
ମୁଦ୍ରିତ ନୟନ ଖୋଲି ହେ ମହେଶ
ସନମତି ବାରେ ଦିଅ ।

ମାମୁରିଆ, ଛେଣ୍ଡିପଦା, ଅନୁଗୋଳ ।