କେତେ ଦୁଃଖ ସତେ ଏଇ ମଣିଷ ଜୀବନେ
କେତେଯେ ଲାଞ୍ଚନା କେତେଯେ ତାଡନା
କି ଅଦ୍ଭୁତ ସଂସାର କିମ୍ଭୁତ କିମାକାର
ବିଚିତ୍ର ଦୁନିଆଁ    ।।
ଅନେକ ଯନ୍ତ୍ରଣା ଭରା ଏ ଜଂଜାଳ ଜାଳ
ବିକଳେ ଜୀବନ ମନ ଆହା କି ଆତୁର
କିଏ ଏଠି ଆତ୍ମଜ କିଏ କହ ଅବା କହ
ଅଛି ଆପଣାର   ।।
ଶୈଶବ ଖେଳ ରୋଳ ଯୈ।ବନ ଉଦ୍ଦାମ
ସତ୍-ପଥ, ଅପଥ ଜ୍ଞାନ ହେଲା ବିସ୍ମରଣ
ଉତ୍ସାହିତ ହେଲା ମନ କାମନା ବାସନା ଭୋଳେ
କଟିଲା ଜୀବନ  ।।
ଜୀବନ ଯୁଦ୍ଧରେ ଅହରହ ସେପାଇଁ ସ‌ଂଗ୍ରାମ
ଆମୋଦ,ପ୍ରମୋଦ ପୁତ୍ର,କନ୍ୟା, କାମିନୀ,କାଞ୍ଚନ
ସଞ୍ଚିତ ଅନେକ ପାପ କେତୁ ସମ ଗିଳିଲାଣି ପୂଣ୍ୟ ରୂପି
ପୂର୍ଣ୍ଣିମାର ଜହ୍ନ  ।।
ଚତୁର୍ଥ ସମୟ ଆସି ଉପଗତ ଏଇ ଅନ୍ତିମ ପର୍ବ
ଅଲୋଡା ଅଖୋଜା ଗୋଟେ ଅଦରକାରୀ ଜିବ
କାହିଁ କହ ପ୍ରତିପତି ନିରାଶ୍ରୟ ଏକାଏକା କିଏ ବନ୍ଧୁ
କାହିଁ ବା ବାନ୍ଧବ  ।।
ନିଜ ହାତେ ପୋତି ଥିବା ମହାକାଳ ଫଳ
ମହାଦ୍ରୁମ ହୋଇ ବାଣ୍ଟେ ଫଳେ ହଳାହଳ
ସେ ବିଷ ବିଳୟ ଆଜି ପଛେ ପଛେ ତୋର
କରିବ କବଳ  ।।
ଗଲାଦିନ, କଲା କର୍ମ ଅବଶେଷେ ଆତ୍ମ ଚିନ୍ତନ
ଶେଷଦୃଶ୍ୟ ଅଭିନୟେ ଅଭିନିତ ଅନେକ ଦହନ
ଅନେକ ଯାତନା ଯନ୍ତ୍ରଣା ବଂଚିବା ଟା ଦୁର୍ବିସହ 
ମରିବା ସମାନ  ।।
ଦୁଃଖୀ କି ମରଣ ନାହିଁ ସୁଖି ପାଇଁ ନଥାଏ ଆୟୁଷ
ସପନକୁ ରାତି ନାହିଁ ଦିନୁ ଦିନ ଗଡୁଛି ବୟସ
ସେଇ ଏକା ସାହା, ତେଣୁ ଭଜ ମନ ନିର୍ବିକଳ୍ପ 
ଅନନ୍ତ, ଅଚ୍ୟୁତ  ।।