ସ୍ନାନ ମଣ୍ତପରେ ଶ୍ରୀଜିଉ - ନିବେଦିତା ମହାପାତ୍ର

0
ପରଂବ୍ରହ୍ମ ପ୍ରଭୁ ସେତ ନିଳାଦ୍ରି ବିହାରୀ
ଜ୍ୟେଷ୍ଠ ପୂର୍ଣ୍ଣିମାରେ ଏ ଆଦ୍ୟ ଯାତ୍ରା ତାଙ୍କରି।
କିଅପୂର୍ବ ଲୀଳା ଲାଗିଛି ଶଙ୍ଖ କ୍ଷେତ୍ରରେ 
ଶରଧା ବାଲି ଉଛୁଳେ ଭକ୍ତ ଗହଳିରେ।
ନିତ୍ୟ ପ୍ରଭାତେ କରନ୍ତି ପ୍ରତିବିମ୍ବ ସ୍ନାନ
ସର୍ବ ସମ୍ମୁଖେ ଆଜି ହୋଇବ ମହାସ୍ନାନ।
ସୋଲ ଜରି ଫୁଲର ଟାହିଆକୁ ଲଗାଇ
ମତ୍ତଗଜ ଠାଣିରେ ସେ ଆସିବେ ଓହ୍ଲାଇ।
ରତ୍ନ ମଣ୍ତପୁ ବାହାରି ଧାଡି ପହଣ୍ତିରେ
ବିରାଜ ମାନ କରିବେ ସ୍ନାନ ମଣ୍ତପରେ।
ସୁନାକୂଅ ପାଣି ଆଣି ଶହେଆଠ ଗରା
ଦଇତା ସେବକ ତାଙ୍କୁ ଗାଧୋଇବେ ପରା।
କର୍ପୁର,ଚନ୍ଦନ,ଚୁଆ ବାସ ମହକିବ
ଫୁଲରେ ସଜ୍ଜିତ ହୋଇ ରୂପ ଝଟକିବ।
ବଡ ଦାଣ୍ତରେ ଭକତ କରିବେ କୀର୍ତ୍ତନ
ଆନନ୍ଦ ମନରେ କରି ମହାମନ୍ତ୍ର ଗାନ।
ସ୍ନାନ ଶେଷରେ ହୋଇବେ ଗଜାନନ ବେଶ
ଦର୍ଶନ ମାତ୍ରକେ ଆତ୍ମା ପାଇବ ସନ୍ତୋଷ।
ସୋଲ,ଜରି,ଜମ୍ବୁରା,କଦଳୀ ପାଟୁକାରେ
ତରାସ ଚୂଳ ଲାଗଇ କର ପଲ୍ଲବରେ।
ଧଳା ହାତୀ ରୂପରେ ଶ୍ରୀବଳଭଦ୍ର ଭାଇ
କଳାହାତୀ ରୂପ ହେବେ ବ୍ରହ୍ମାଣ୍ଡ ଗୋସେଇଁ।
ସୁଭଦ୍ରା ଧାରଣ କରିବେ ମାତଙ୍ଗୀ ବେଶ
ଭକ୍ତଙ୍କୁ ଦର୍ଶନ ଦେଇ କରିବେ ସନ୍ତୁଷ୍ଟ।
ବରଷକେ ଥରେ ଦେଖି ଏହି ଦିବ୍ୟରୂପ
ଦୂର ହୋଇବ ଜୀବନର ସବୁ ସନ୍ତାପ।
ଅତ୍ୟଧିକ ସ୍ନାନ କରି ଜ୍ବରରେ ପଡିବେ
ଅଣସର ପିଣ୍ତିରେ ପ୍ରଭୁ ବିଜେ କରିବେ।
ଫଳମୂଳ,ଚେର ମୂଳି,ନୈବେଦ୍ୟ ଖାଇବେ
ଫୁଲୁରି ତେଲକୁ ଲଗାଇ ସୁସ୍ଥ ହୋଇବେ।
ଅଙ୍ଗ ଲାଗି ସେବକ କରିବେ ଗୁପ୍ତପୂଜା
ପନ୍ଦରଦିନେ ପୁରିବ ରୁଦ୍ଧ ଦ୍ବାର କାର୍ଯ୍ୟ।

ନିବେଦିତା ମହାପାତ୍ର 
ମୁକୁନ୍ଦ ମିଶ୍ର ନଗର, ଗୋପିନାଥପୁର, ପୁରୀ

Post a Comment

0Comments
Post a Comment (0)