ଢେଉଭରା ଏଇ ମାୟାର ସଂସାର
ଢାଳିଦିଏ ଯେତେ ବିପଦମାନ
ଢଙ୍ଗ ରଙ୍ଗ ହଜେ ମାୟା ଭଉଁରିରେ
ଢୁଳାଇଦିଏ ମୋ ଚେତା ଚୈତନ୍ୟ । ୧

ଢଳଢଳ ମନ ଛଳଛଳ ପ୍ରାଣ
ଢେଲାଆଖି ତୁମ ଦେଖୁନାହିଁ କି
ଢଳିଯାଏ ମନ ତୁମ ଶ୍ରୀଚରଣେ
ଢାଲଟିଏ ମୋତେ ଦେବନାହିଁ କି ? ୨

ଢୋଲ ବାଜୁଅଛି ଏ ଦୁନିଆସାରା
ଢାଳିଥାଅ ଦୟା ପତିତ ଜନେ
ଢୋଳାଉଛ କିଆଁ ମୋହରି ବେଳକୁ
ଢିଲା ମନେ ଡାକ ଶୁଣନା କର୍ଣ୍ଣେ । ୩

ଢଳି ଢଳି ଆସ ମନୁଆଁ ଠାକୁର
ଢାଲ ବେଢିଦିଅ ଅଙ୍ଗେ ମୋର
ଢୁକୁଢୁକୁ ପ୍ରାଣେ ସୁଶୀତଳ ଜଳ
ଢାଳିଦିଅ ପାଦେ କରେ ଜୁହାର । ୪
ତାପସ କୁଟୀର, ବଇଣ୍ଡା, ଅନୁଗୋଳ ।

Writer's Details: ରମେଶ ଚନ୍ଦ୍ର ମିଶ୍ର, ତାପସ କୁଟୀର, ବଇଣ୍ଡା, ଅନୁଗୋଳ
Content Category:
Submission Date: Jun 30, 2019