
(ଏ ତ)ଅନୁସନ୍ଧାନ ଭଣ୍ଡାର
ସୂକ୍ଷ୍ମ ବା ସ୍ଥୁଳର ଅନ୍ତର୍ଦ୍ଦର୍ଶନ ଏ
ନୀତିବୋଳା ସୁବିଚାର।
ଅଙ୍ଗେ ନିଭାଇବା କଥା କହେ ଧୀରେ
ଅଭିଜ୍ଞତା ପେଡି ଖୋଲି
ସତ୍ୟର ପଥରେ ଶାନ୍ତି ବାଣ୍ଟି ଚାଲେ
ମିଷ୍ଟ ବାଣୀ ମୁଣି ଖୋଲି।
କାହାକୁ ଲାଗେ ସେ ମହୁ ପରି ମିଠା
କେ କହେ ନିମ୍ବଠୁ ପିତା
କେ ନେଇ ଦେହକୁ ଫଁ ଫଁ ହୁଏ
(କା) ମୁରୁକି ହସ କି ମିଠା ?
ସଭିଙ୍କ ହିତରେ ବ୍ରତୀ ହୋଇ ଖୋଲେ
ବାସ୍ତବ ନ୍ୟାୟ ଡାଏରୀ
ଅଜ୍ଞାନ ଆବୋରେ ଜ୍ଞାନ ଗଙ୍ଗାଜଳ
ଜ୍ଞାନୀ ବାଣ୍ଟେ ପ୍ରେମ ବାରି।
କାହା ପାଇଁ ନୁହଁ ତେଣ୍ଟା ଧନୁଶର
ନ ଥାଏ ବ୍ୟଙ୍ଗ ଇଙ୍ଗୀତ
ପଢି ବୁଝି ଯିଏ କାମରେ ଲଗାଏ
ଗାଏ ସେ ମଧୁ ସଙ୍ଗୀତ।
ଅହଂ ଜିଦ୍ ଧରି ହତାଦର କରି
(ଯେ) ନ ମାନେ ତା'ର ସୂଚନା
ଭୁଲ ମଣିଷଟେ ସଂସାରେ ବୋଲାଏ
ସବୁ ଆଶା କରି ଚୁନା।
ଅନୁଚିନ୍ତା କହେ ସ୍ୱଦୋଷ ସୁଧାର
ସୁପଥେ ବଳାଅ ମନ
ମୋ ଦେହରେ ଅଛି ସକଳ ଦରବ
ଭାଷାମୃତ ଗୀତାଜ୍ଞାନ।
ସମ୍ମୁଖେ ଦିଏ ସେ ସଦ୍ ଜ୍ଞାନର ବାର୍ତ୍ତା
ଦେଖାଏ ସତ୍ କର୍ମ ଦିଗ
ସତସଙ୍ଗେ ବ୍ରତୀ ହେବାର ଠିକଣା
ସତ୍ ଚିନ୍ତା ଖୋଜିବା ମାର୍ଗ
ପ୍ରଭାତୁ ଉଠାଇ କହେ ସେ କାନରେ
ମୋତେ ପଅଢରେ ଧନ
ତୁ ପରା ଦେଶର ଅମୃତ ସନ୍ତାନ
ସଦା କର ପୁଣ୍ୟ ଧର୍ମ।
ନାରାୟଣ ଚନ୍ଦ୍ର ସେନାପତି
ଜମ୍ଭରା, କେନ୍ଦୁଝର
