• ହିଙ୍ଗୁଳା ଯାତରା ଅଗ୍ନି ଙ୍କ ପ୍ରତିକ
• ବିଷୁବ ସଂକ୍ରାନ୍ତି ଲଗନ
• ଧରାବତରଣ କରନ୍ତି ନିଦାଘେ
• କରିଥାନ୍ତି ମହୀ ମଣ୍ଡନ ।।
•
• ତପନ କିରଣେ ତାପିତ ଜ୍ଵଳନେ
• ଉତପ୍ତ ହୁଅଇ ଧରା
• ଅସହ୍ୟ ତା ତାପ ଶରୀର ଘର୍ମାକ୍ତ
• ଅବିରାମ ଗତି ଧାରା
• ଅଙ୍ଗେ ଅଙ୍ଗବାସ ଦିଏ ବଡ ପ୍ରାସ
• କଲବଲ ହୁଏ ଜୀବନ ,, ହିଙ୍ଗୁଳା ଯାତରା ଅଗ୍ନି ଙ୍କ ପ୍ରତିକ… ।।
•
• ବାଟରେ ବାଟୋଇ ଖୋଜେ ଗଛଛାଇ
• ଦେହ ଖୋଜେ ଥଣ୍ଡା ପବନ
• ମାର୍ତ୍ତଣ୍ଡ ପ୍ରଚଣ୍ଡ କର ଅଗ୍ନି ଝର
• ଅନଳ କଣିକା ସମାନ
• ଜାଳି ପୋଡି ଦିଏ ସୁଷ୍କ ଟାଙ୍ଗରା
• ବିକ୍ଷିପ୍ତ ଜନ ଜୀବନ ,, ହିଙ୍ଗୁଳା ଯାତରା ଅଗ୍ନି ଙ୍କ ପ୍ରତିକ...।।
•
• ପଶୁ ,ପକ୍ଷୀ କୁଳ ହୁଅନ୍ତି ଆକୁଳ
• ନିଦାଘ ଯେ ବଡ ଦାରୁଣ
• ନଦ, ନଦୀ, ଝର ସୁଷ୍କ , ଭୂମଣ୍ଡଳ
• ଲତା,ଦ୍ରୁମଦଳ ବିହୀନ
• ଜଳଇ ବନାନୀ ତା ଲେଲିହାନ ଶିଖା
• ନିଅଇ ଅମୂଲ୍ୟ ଜୀବନ,,ହିଙ୍ଗୁଳା ଯାତରା ଅଗ୍ନିଙ୍କ ପ୍ରତିକ…।।
• ହତଶୀରି ଦିଶେ ପ୍ରକୃତି ରାଣୀ ଲୋ
• ଖୋଜଇ ମଳୟ ପବନ
• ମହାରୁଦ୍ର ରୈ।ଦ୍ର କିରଣ ପରସେ
• ରସାଳ ପକ୍ଵ ଫଳ ମାନ
• ପ୍ରକୃତି ବିତରେ ଅକାତରେ ଭୁଲି
• ସହସ୍ରାଂଶୁ ତାପମାନ ,, ହିଙ୍ଗୁଳା ଯାତରା ଅଗ୍ନିଙ୍କ ପ୍ରତିକ…।।
•
• ଗୋଳି ଚନ୍ଦନ କୁ ଶ୍ରୀଅଙ୍ଗରେ ବୋଳି
• ରାଇ ସଙ୍ଗେ ରାଧା ମୋହନ
• ଚାପେ ଜଳ କେଳି କରନ୍ତି ମାଧବ
• ମଲ୍ଲୀ ଗଜରା ରେ ମଣ୍ଡନ
• ନିୟତି ଚାଳିତ ଋତୁ ଗତିପଥେ
• ହୋଇଥାଏ ନିୟନ୍ତ୍ରଣ ,, ହିଙ୍ଗୁଳା ଯାତରା ଅଗ୍ନିଙ୍କ ପ୍ରତିକ…।।
କବିର ଘର କବିତା ପ୍ରତିଯୋଗିତା ନିମନ୍ତେ
ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର
ମଙ୍ଗଳାଯୋଡି, ଖୋରଧା
